
ଉତ୍ତରପ୍ରଦେଶ : ଗତ ଦୁଇଦିନ ହେଲାଣି ନେପାଳ ସ୍ଥିତି ବିଗିଡିବାରେ ଲାଗିଛି । କାଠମାଣ୍ଡୁ ଠାରୁ ଆରମ୍ଭ କରି ଛୋଟ ବସ୍ତି ଯାଏଁ ଜେନ-ଜି ବିକ୍ଷୋଭକାରୀଙ୍କ ବିରୋଧ ହିଂସାର ରୂପ ନେଇଛି । ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ନେପାଳରେ ଅସ୍ଥିରତାର ପ୍ରଭାବ ଉତ୍ତରପ୍ରଦେଶ ସୀମାବର୍ତ୍ତୀ ଜିଲ୍ଲାରେ ପଡିବାକୁ ଲାଗିଛି । ତେଣୁ ନେପାଳ ସୀମାରେ ଥିବା ବହରାଇଚ, ଶ୍ରାବସ୍ତି, ଲକ୍ଷ୍ମୀପୁର ଏବଂ ମହାରାଜଗଂଜରେ ହାଇଆଲର୍ଟ ଜାରି ହୋଇଛି । ବେପାର, ପଢିବା ଏବଂ ପ୍ରତିଦିନ ମାର୍କେଟ କାରଣରୁ ନେପାଳକୁ ଲାଗିଥିବା ଜିଲ୍ଲା ସବୁବେଳେ ସମ୍ବେଦନଶୀଳ ରହିଥାଏ । ଏଥିପାଇଁ ଉତ୍ତରପ୍ରଦେଶ ଯୋଗୀ ସରକାର ବର୍ଡରରେ କଡ଼ା ପ୍ରହାର ଲଗାଇଛନ୍ତି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗମ୍ଭୀରତାକୁ ଦେଖି ଡିଜିପି ରାଜୀବ କୃଷ୍ଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନେପାଳ ସୀମାରେ ୨୪ ଘଣ୍ଟା ପୋଲିସ ଆଲର୍ଟ ରହିବା ସହିତ ସମସ୍ତ ସମ୍ବନ୍ଧୀୟ ଜିଲ୍ଲାରେ ଅତିରିକ୍ତ ପୋଲିସ ବଳ ନିୟୋଜିତ କରିବାକୁ କହିଛନ୍ତି । ସୀମାରେ ସୁରକ୍ଷା ଏଜେନ୍ସୀଙ୍କୁ ଛୋଟ ବଡ଼ ସୂଚନାରେ ସତର୍କ ରହିବାକୁ କହିଛନ୍ତି । ସୀମାବର୍ତ୍ତୀ ଅଂଚଳରେ ଯବାନ ସତର୍କ ରହିଛନ୍ତି । କୌଣସି ସନ୍ଦିଗ୍ଧ ଗତିବିଧିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ କୁହାଯାଇଛି । ଡ୍ରୋନ ଜରିଆରେ ନଜର ରଖାଯାଇଛି ।
ସେପଟେ ନେପାଳରେ ବହୁଳ ମାତ୍ରାରେ ଭାରତୀୟ ନାଗରିକ ଫସିଛନ୍ତି । ବେପାରୀ, ଛାତ୍ର, ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକ ସାମିଲ ରହିଛନ୍ତି । ସେମାନଙ୍କ ସୁରକ୍ଷା ଏବଂ ଫେରାଇ ଆଣିବା ପାଇଁ ୟୁପି ପୋଲିସ ମୁଖ୍ୟାଳୟ ଲକ୍ଷ୍ନୌରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏହି କଣ୍ଟ୍ରୋଲରୁମ ୨୪ ଘଣ୍ଟା ସକ୍ରତ’ ରହିଛି । ହେଲପଲାଇନ ନମ୍ବର ଏବଂ ହ୍ବାଟସଆପ୍ ନମ୍ବର ଜାରି କରାଯାଇଛି ।
ହେଲପଲାଇନ ନମ୍ବର :
-୦୫୨୨-୨୩୯୦୨୫୭
-୦୫୨୨-୨୭୨୪୦୨୦
୯୦୫୪୪୦୧୬୭୪
ହ୍ବାଟସଆପ୍ ନମ୍ବର : ୯୪୫୪୪୦୧୬୭୪
ତେବେ ନେପାଳ ସଂପର୍କରେ ଯୋଗୀ ଆଦିତ୍ୟନାଥ ଲଗାତାର ସୂଚନା ନେଉଛନ୍ତି । ସୀମାବର୍ତ୍ତୀ ଜିଲ୍ଲାରେ କୌଣସି ସ୍ତରରେ ବେଖାତିରକୁ ବରଦାସ୍ତ କରାଯିବନି । ତେଣୁ ଜିଲ୍ଲା ଅଧିକାରୀ ଏବଂ ପୋଲିସ ଅଧିକ୍ଷକଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ନେପାଳରେ ଫସିଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।