ଦୁର୍ନୀତି ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଆଭିମୁଖ୍ୟ

youtube

ଭୁବନେଶ୍ୱର: ଦୁର୍ନୀତି ରୋକିବା ଦିଗରେ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢୀକରଣ ଏବଂ ପ୍ରତିକାରାତ୍ମକ ସତର୍କତା ଅବଲମ୍ବନ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ସଂପର୍କରେ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ମହା ନିର୍ଦ୍ଦେଶକ, ସମସ୍ତ ବିଭାଗର କମିଶନର ତଥା ଶାସନ ସଚିବ, ସମସ୍ତ ରାଜସ୍ୱ ଆୟୁକ୍ତ ଏବଂ ଜିଲ୍ଲାପାଳମାନଙ୍କୁ ଉଲ୍ଲେଖିତ ଏକ ପତ୍ରରେ ଜଣାଇଛନ୍ତି।

ପତ୍ରରେ ଉଲ୍ଲେଖ ରହିଛି, ରାଜ୍ୟ ସରକାର ସ୍ୱଚ୍ଛ, ପାରଦର୍ଶୀ ଓ ନାଗରିକକୈନ୍ଦ୍ରିକ ପ୍ରଶାସନ ପ୍ରତି ପ୍ରତିବଦ୍ଧ। ନିକଟରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଚିହ୍ନଟ ହୋଇଥିବା ଦୁର୍ନୀତି ମାମଲାଗୁଡ଼ିକ ସୂଚାଉଛି ଯେ, ଏ କ୍ଷେତ୍ରରେ ସକ୍ରିୟ ଓ ନିରନ୍ତର ଧ୍ୟାନ ଦେଇ ପ୍ରତିକାରାତ୍ମକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କେବଳ ଦୋଷୀଙ୍କୁ ଦଣ୍ଡ ଦେବା କାର୍ଯ୍ୟାନୁଷ୍ଠାନ ଦ୍ଵାରା ଏହାର ସମାଧାନ ହୋଇପାରିବ ନହିଁ; ବରଂ ଦୁର୍ନୀତିର ମୂଳ କାରଣଗୁଡ଼ିକୁ ପ୍ରଶାସନିକ, ଆଇନଗତ, ସାମାଜିକ, ଆର୍ଥିକ ଓ ଶିକ୍ଷାମୂଳକ ପଦକ୍ଷେପ ମାଧ୍ୟମରେ ବ୍ୟବସ୍ଥାଗତ ପ୍ରଣାଳୀରେ ଦୂର କରିବା ପାଇଁ ସୁଦୃଢ ପଦକ୍ଷେପ ଆବଶ୍ୟକ।

ଏ ସଂପର୍କରେ “ସନ୍ଥାନମ କମିଟି” ସୁପାରିଶ ଅନୁସାରେ ବିଭାଗମାନେ ନିଜେ ନିଜେ ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରି, ମାମଲା ସୃଷ୍ଟି ହେବା ପୂର୍ବରୁ ସେଥିପ୍ରତି ଆଗୁଆ ପଦକ୍ଷେପ ନେବା ବିଶେଷ ଗୁରୁତ୍ଵ ରଖୁଛି। ପ୍ରତିରୋଧାତ୍ମକ ଦୁର୍ନୀତି ନିବାରଣ ସଚେତନତା ମାଧ୍ୟମରେ ଅଧିକ ନିୟାମକତା, ଇଚ୍ଛାଧୀନ କ୍ଷମତା, ସେବା ପ୍ରଦାନରେ ଏକାଧିକାର, ଦୁର୍ବଳ ଅଭିଯୋଗ ଶୁଣାଣି ବ୍ୟବସ୍ଥା, ଯାଞ୍ଚ ପ୍ରଣାଳୀରେ କୋହଳ ବ୍ୟବସ୍ଥା ଏବଂ ଜନସଚେତନାର ଅଭାବ ପରି ବିଷୟଗୁଡ଼ିକର ସମାଧାନ କରିପାରିବ।

ମୁଖ୍ୟ ଶାସନ ସଚିବ ଦୁର୍ନୀତି ପ୍ରତି କଡ଼ା ଆଭିମୁଖ୍ୟ ଓ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଭ୍ୟନ୍ତରୀଣ ସଚେତନତା କମିଟି (ଇଣ୍ଟରନାଲ ଭିଜିଲାନ୍ସ କମିଟି) ଗଠନ କରି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ ପୂର୍ବକ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା, ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍, ଓ୍ୱାମିସ୍, ଇ-ଟେଣ୍ଡରିଂ, ଇ-ପ୍ରୋକ୍ୟୁରମେଣ୍ଟ, ଓ୍ୱାର୍କ ପାସ୍ ବୁକ୍, ଡିବିଟି ଜରିଆରେ ଅର୍ଥ ପ୍ରେରଣ ଏବଂ ଅନ୍ ଲାଇନ୍ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ପାଇଁ ପ୍ରଯୁକ୍ତି-ଭିତ୍ତିକ ସୁଧାରଗୁଡ଼ିକୁ କାର୍ଯ୍ୟକାରୀ କରିବା ଏବଂ ସେଥିରେ ଅଧିକ ଉନ୍ନତି ଆଣିବା, କର୍ମଚାରୀମାନଙ୍କ ପର୍ଯ୍ୟାୟକ୍ରମିକ ପରିବର୍ତ୍ତନ, ନ୍ୟାୟସଙ୍ଗତ ଓ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ଅନଲାଇନ୍ ବ୍ୟବସ୍ଥାରେ ବଦଳି ଏବଂ କାର୍ଯ୍ୟରେ ସାଧୁତା ଅବଲମ୍ବନ ସନ୍ଦେହ ରହୁଥିବା ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ(ସମ୍ବେଦନଶୀଳ) ପଦବୀରୁ ନିବୃତ୍ତ ରଖିବା ସହ ସ୍ୱଚ୍ଛତାର ସହ ମାନବ ସମ୍ବଳ ପରିଚାଳନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ନିର୍ଦ୍ଦେଶଗୁଡ଼ିକ ସମସ୍ତ ଅଧିକାରୀଙ୍କ ନିକଟରେ ଯେପରି ନିଶ୍ଚିତ ଭାବରେ ପହଁଚିବ ଏବଂ ନିର୍ଦ୍ଦେଶିତ ଅନୁସାରେ ଏହାର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ହେବ, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

Leave A Reply

Your email address will not be published.