
ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିପି ରାଧାକ୍ରିଷ୍ଣନ । ଉପରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ସିପି ରାଧାକ୍ରିଷ୍ଣନ ଇସ୍ତଫା ଦେବା ପରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଷ୍ଟ୍ରପତି । ଆଚାର୍ଯ୍ୟ ଦେବବ୍ରତ ଗୁଜରାଟ ସହିତ ମହାରାଷ୍ଟ୍ର ରାଜ୍ୟପାଳ ଦାୟିତ୍ବ ସମ୍ଭାଳିବେ ।
ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୨ରେ ସିପି ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ୪୫୨ ଭୋଟରେ ଜିତିଛନ୍ତି । ନିର୍ବାଚନ ଜିତିବା ପରେ ଦେଶର ଉପରାଷ୍ଟ୍ରପତି କାର୍ଯ୍ୟଭାର ସମ୍ଭାଳିବେ ସିପି ରାଧାକ୍ରିଷ୍ଣନ ।
ତାମିଲନାଡୁ ବାସୀ ସିପି ରାଧାକ୍ରିଷ୍ଣନ ଦୁଇଥର କୋୟମ୍ବାଟୁରର ସାଂସଦ ରହିଛନ୍ତି । ଭାରତୀୟ ଜନତା ପାର୍ଟିରେ ବହୁତ ଦିନରୁ ସକ୍ରିୟ ରହିଛନ୍ତି । ୨୦୨୪ ଜୁଲାଇ ୩୧ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ପୂର୍ବରୁ ୨୦୨୩ ଫେବୃଆରୀ ୧୮ରୁ ୨୦୨୪ ଜୁଲାଇ ୩୦ତାରିଖ ଯାଏ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୨୪ ମାର୍ଚ୍ଚରୁ ଅଗଷ୍ଟ ଯାଏ ପୁଡୁଚେରୀର ଉପରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ସେହି ସମୟରେ ମାର୍ଚ୍ଚରୁ ଜୁଲାଇ ଯାଏ ତେଲଙ୍ଗାନାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ ।
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନୂଆଦିଲ୍ଲୀ ସ୍ଥିତି ନୂଆ ସଂସଦ ଭବନରେ ସକାଳ ୧୦ରୁ ସନ୍ଧ୍ୟା ୫ଟା ଯାଏଁ ନିର୍ବାଚନ ହୋଇଥିଲା । ସିପି ରାଧାକ୍ରିଷ୍ଣନ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ମ୍ୟାଚ୍ ଜିତିଛନ୍ତି । ସୁଦର୍ଶନ ରେଡ୍ଡୀ ସୁପ୍ରିମକୋର୍ଟର ପୂର୍ବ ଜଜ୍ ରହିଥିଲେ । ସୁଦର୍ଶନ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ୧୯୯୫ ମେ ୨ ତାରିଖରେ ଆନ୍ଧ୍ର ହାଇକୋର୍ଟର ସ୍ଥାୟୀ ବିଚାରପତି ଥିଲେ ସୁଦର୍ଶନ । ୧୯୭୧ ଡିସେମ୍ବର ୨୭ରେ ଆନ୍ଧ୍ରପ୍ରଦେଶ ବାର କାଉନସିଲରେ ଓକିଲ ଥିଲେ ସୁଦର୍ଶନ ରେଡ୍ଡୀ ।