
ନୂଆଦିଲ୍ଲୀ : ନେପାଳରୁ ଫେରାର ହୋଇଥିବା କଏଦୀ ଏବେ ଭାରତ ପାଇଁ ବିପଦ ସାଜିଛନ୍ତି । ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରି ଭାରତ ସୀମାରେ ଫେରାର ହୋଇଥିବା ୩୫ କଏଦୀ ଅଟକ । ଭାରତ-ନେପାଳ ସୀମାରୁ ୩୫ କଏଦୀଙ୍କୁ ଧରିଛି ସଶସ୍ତ୍ର ସୀମା ବଳ । ସୀମାନ୍ତ ଉତ୍ତର ପ୍ରଦେଶରୁ ସର୍ବାଧିକ ୨୨ କଏଦୀ ଧରାପଡ଼ିଛନ୍ତି । ବିହାରରେ ୧୦ ଜଣ ଓ ପଶ୍ଚିମବଙ୍ଗ ସୀମାରୁ ୩ କଏଦୀ ଧରାପଡ଼ିଛନ୍ତି । ଭାରତରେ ଅନୁପ୍ରବେଶ ଉଦ୍ୟମ ବେଳେ ଧରା ପଡ଼ିଛନ୍ତି ।
ନେପାଳ ହିଂସା ମଧ୍ୟରେ ଏକାଧିକ ଜେଲରୁ ଫେରାର ହୋଇ ଯାଇଛନ୍ତି ଶହଶହ ସଂଖ୍ୟାରେ କଏଦୀ । ଯେଉଁ ଜେଲଗୁଡିକରୁ କଏଦୀମାନେ ଫେରାର ହୋଇଯାଇଛନ୍ତି ସେହି ଜେଲଗୁଡିକ ଭାରତ ସୀମାକୁ ଲାଗିଛି । ତେଣୁ ଏହି କଏଦୀମାନେ ଭାରତରେ ପ୍ରବେଶ କରିପାରନ୍ତି । ଯାହାକୁ ନେଇ ଭାରତ-ନେପାଳ ସୀମାରେ ସେନା କଡ଼ା ପହରା ଦେଇଛି । ନେପାଳର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫ ହଜାରରୁ କଏଦୀ ଜେଲରୁ ଖସି ପଳାଇଛନ୍ତି ।
ସେପଟେ ନେପାଳ ହିଂସାଜନିତ ମୃତ୍ୟୁ ସଂଖ୍ୟା ବଢ଼ି ୩୧ରେ ପହଞ୍ଚିଛି । ତେବେ ଧୀରେ ଧୀରେ ସ୍ବାଭାବିକ ସ୍ଥିତିକୁ ଆସୁଛି ନେପାଳ । କାଠମାଣ୍ଡୁ ଓ ଅନ୍ୟ ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ କର୍ଫ୍ୟୁ ଅବଧି ବୃଦ୍ଧି କରାଯାଇଛି । ତେବେ ଜରୁରୀ ସାମଗ୍ରୀ ପରିବହନ ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଇସ୍ତଫା ଦେବା ପରେ ସେନା ହାତକୁ ନେପାଳର ଶାସନ କ୍ଷମତା ଯାଇଛି । ଏବେ ସେନା ନିୟନ୍ତ୍ରଣରେ ରହିଛି ନେପାଳ । ଏହାପରେ ସେନାର ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛି ।
ସୂଚନାଯୋଗ୍ୟ, ନେପାଳରେ ସରକାର ସୋସିଆଲ ମିଡିଆ ଆପ୍ ବ୍ୟାନ କରିବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା । ଲକ୍ଷାଧିକ ଜେନ-ଜି ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇ ସବୁକିଛି ନଷ୍ଟ କରିଦେଇଛନ୍ତି । ସଂସଦ ଭବନ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଅଫିସରେ ନିଆଁ ଲଗାଇଛନ୍ତି । ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି । ସବୁକିଛି ଛାରଖାର ହୋଇଯାଇଛି ।