
ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି ଆଉ ୫ଟି ବିମାନବନ୍ଦରରେ ଫାଷ୍ଟ ଟ୍ରାକ୍ ଇମିଗ୍ରେସନକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିଛନ୍ତି । ଫାଷ୍ଟ ଟ୍ରାକ୍ ଇମିଗ୍ରେସନ – ଟ୍ରଷ୍ଟେଡ୍ ଟ୍ରାଭେଲର୍ ପ୍ରୋଗ୍ରାମ୍ (FTI-TTP) ଭାରତୀୟ ନାଗରିକ ଏବଂ ଭାରତୀୟ ନାଗରିକତା (OCI) କାର୍ଡ ଧାରଣ କରିଥିବା ବିଦେଶୀ ନାଗରିକଙ୍କ ପାଇଁ ଡିଜାଇନ୍ ହୋଇଛି ।
ଟର୍ମିନାଲ ୨ ର ଡିପାର୍ଚର ଇମିଗ୍ରେସନ ଅଞ୍ଚଳରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ ହୋଇଥିଲା । ଏହି ସମୟରେ, ଅମିତ ଶାହ ଚିକାଗୋରେ ବିଶ୍ୱ ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦଙ୍କ ଐତିହାସିକ ଭାଷଣର ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଥିଲେ ।
ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍-ଟ୍ରଷ୍ଟେଡ୍ ଟ୍ରାଭେଲର୍ ପ୍ରୋଗ୍ରାମରେ ଆଉ ୫ଟି ବିମାନବନ୍ଦର ଯୋଡା ଯାଉଛି । ଏହା ଆମ ପାଇଁ ବହୁତ ଆନନ୍ଦ ଏବଂ ଗର୍ବର ବିଷୟ ବୋଲି କହିଥିଲେ ଅମିତ ଶାହ । ୧୩୨ ବର୍ଷ ପୂର୍ବେ ୧୮୯୩ ମସିହାରେ, ସ୍ୱାମୀ ବିବେକାନନ୍ଦ ଚିକାଗୋରେ ଏକ ଭାଷଣ ଦେଇଥିଲେ, ଯେଉଁଥିରେ ଭାରତ, ଏହାର ସଂସ୍କୃତି ଏବଂ ସନାତନ ଧର୍ମକୁ ବିଶ୍ୱକୁ ପରିଚିତ କରାଇଥିଲେ । ଆମେ ସାରା ବିଶ୍ୱରେ ଆମର ସଂସ୍କୃତି ଏବଂ ସନାତନ ଧର୍ମର ନୀତିଗୁଡ଼ିକୁ ପ୍ରସାର କରିବାରେ ସଫଳ ହୋଇଛୁ ବୋଲି କହିଛନ୍ତି ଅମିତ ଶାହ ।
ଯୁଗର ପ୍ରବର୍ତ୍ତକ ସ୍ୱାମୀ ବିବେକାନନ୍ଦ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣ ଜଣାଇବା ସହ ମଧ୍ୟ ଆମେ ତାଙ୍କ ଦ୍ୱାରା ପ୍ରଦର୍ଶିତ ପଥରେ ଆଗକୁ ବଢ଼ିବା ଏବଂ ସର୍ବଦା ଏହି ଦେଶର ଗୌରବ ସହିତ ଜଡିତ ରହିବୁ ବୋଲି କହିଛନ୍ତି ଅମିତ ଶାହ ।
ଯୋଗ୍ୟ ଆବେଦନକାରୀମାନଙ୍କୁ ଆବେଦନ ଫର୍ମ ଅନୁଯାୟୀ ଅନ୍ୟାନ୍ୟ ଆବଶ୍ୟକୀୟ ସୂଚନା ସହିତ ବାୟୋମେଟ୍ରିକ୍ସ ଆଙ୍ଗୁଠି ଚିହ୍ନ ଏବଂ ଏକ ମୁହଁ ଫଟୋଗ୍ରାଫ୍ ଦାଖଲ କରିବାକୁ ପଡିବ। ଉପଯୁକ୍ତ ଯାଞ୍ଚ ଏବଂ ଯୋଗ୍ୟତାର ନିଶ୍ଚିତକରଣ ପରେ ନାମଲେଖା ଶେଷ ହୋଇଥାଏ ।
ପଞ୍ଜିକରଣ ହେବା ପରେ ଯାତ୍ରୀମାନେ ଅଂଶଗ୍ରହଣକାରୀ ବିମାନବନ୍ଦରଗୁଡ଼ିକରେ ସ୍ୱୟଂଚାଳିତ ଇ-ଗେଟ୍ ବ୍ୟବହାର କରି ସେମାନଙ୍କର ଇମିଗ୍ରେସନ୍ କ୍ଲିୟରାନ୍ସ ଶୀଘ୍ର ସମାପ୍ତ କରିପାରିବେ । ଇ-ଗେଟ୍ ସୁବିଧା ବର୍ତ୍ତମାନ ଆଠଟି ପ୍ରମୁଖ ବିମାନବନ୍ଦରରେ କାର୍ଯ୍ୟକ୍ଷମ ।
ସେଥି ମଧ୍ୟରେ ରହିଛି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଚି ଏବଂ ଅହମ୍ମଦାବାଦରେ କାର୍ଯ୍ୟକ୍ଷମ, ଏବଂ ବର୍ତ୍ତମାନ ଏହାକୁ ତିରୁବନନ୍ତପୁରମକୁ ବିସ୍ତାର କରାଯାଉଛି ।