
ବମ୍ବେ: ଦିଲ୍ଲୀ ହାଇକୋର୍ଟ ପରେ ବମ୍ବେ ହାଇକୋର୍ଟକୁ ବୋମା ଧମକ ମିଳିଛି । ଯାହା ଉଭୟ ହାଇକୋର୍ଟରେ ହଇଚଇ ସୃଷ୍ଟି କରିଛି । ଧମକପୂର୍ଣ୍ଣ ମେଲ୍ ପାଇବା ପରେ ପୋଲିସକୁ ହାଇକୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ ପରିସରକୁ ଖାଲି କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି । କିନ୍ତୁ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ଏଯାଏଁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ ।
ଦିଲ୍ଲୀ ହାଇକୋର୍ଟକୁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଥିଲା ଯେଉଁଥିରେ କୁହାଯାଇଥିଲା ଯେ, କୋର୍ଟ ପରିସରରେ ତିନୋଟି ବୋମା ରଖାଯାଇଛି, ଯାହା ପରେ ଶୀଘ୍ର ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଚାରପତିଙ୍କ ସହିତ ଓକିଲମାନଙ୍କୁ ମଧ୍ୟ ଖାଲି କରାଯାଇଥିଲା । ପୋଲିସ ସୁରକ୍ଷା ପ୍ରୋଟୋକଲ୍ କାର୍ଯ୍ୟକାରୀ କରି ସମସ୍ତ ବିଚାରପତିଙ୍କୁ ସେମାନଙ୍କ ଚାମ୍ବରରୁ ବାହାର କରିଦେଇଥିଲା ଏବଂ ସେଠାରେ ଉପସ୍ଥିତ କର୍ମଚାରୀ ଏବଂ ଅନ୍ୟ ଲୋକମାନଙ୍କୁ ମଧ୍ୟ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ତେବେ ଏହାର କିଛି ସମୟ ପରେ ବମ୍ବେ ହାଇକୋର୍ଟକୁ ମଧ୍ୟ ଏକ ଧମକପୂର୍ଣ୍ଣ ମେଲ୍ ମିଳିଛି । ଏହା ପରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ମୁମ୍ବାଇ ପୋଲିସ ୟୁନିଟ୍ ପରିସରରେ ମୁତୟନ କରାଯାଇଛି । କୋର୍ଟ ପରିସରରେ ଏକ ସର୍ଚ୍ଚ ଅପରେସନ୍ ଚାଲିଛି ଏବଂ ପୋଲିସ ଆଖପାଖ ଅଞ୍ଚଳଗୁଡ଼ିକୁ ମଧ୍ୟ ସିଲ୍ କରିଦେଇଛି ।
ତେବେ ଦିଲ୍ଲୀ ହାଇକୋର୍ଟ ଭଳି ବମ୍ବେ ହାଇକୋର୍ଟକୁ ବୋମା ଦମକ ମିଥ୍ୟା ଗୁଜବ ବୋଲି ପୋଲିସ କହିଛି । ତଥାପି ବୋମା ଧମକକୁ ନେଇ ପୋଲିସ ଅଧିକ ଯାଞ୍ଚ କରୁଛି ।