
ନୂଆଦିଲ୍ଲୀ: ଋଷ ତେଲ କିଣିବା ବନ୍ଦ କରୁ ଭାରତ, ଏମିତି ପୁଣି କହିଛନ୍ତି ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟନିକ୍ । ସେ କହିଛନ୍ତି ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତେବେ ହିଁ ଉଚ୍ଚ ଶୁଳ୍କ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ । ଲୁଟନିକ୍ କହିଛନ୍ତି ଯେ, ସେ ବର୍ତ୍ତମାନ ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।
ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ବିଶେଷ ବନ୍ଧୁ ବୋଲି କହୁଥିବା ବେଳେ ଅନ୍ୟପଟେ ତାଙ୍କ ମନ୍ତ୍ରୀମାନେ ଭାରତକୁ ଧମକ ଦେଉଛନ୍ତି । ହାୱର୍ଡ ଲୁଟନିକ୍ ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି ଯେ ଭାରତ ରୁଷୀୟ ତେଲ କିଣିବା ବନ୍ଦ କରିବା ଉଚିତ ନଚେତ୍ ଶୁଳ୍କ ଏବଂ ବାଣିଜ୍ୟ ଚୁକ୍ତି ଉପରେ କୌଣସି ଆଲୋଚନା ହେବ ନାହିଁ ।
ହାୱର୍ଡ ଲୁଟନିକ୍ ରୁଷୀୟ ତେଲ କିଣିବା ପାଇଁ ଭାରତକୁ ନିରନ୍ତର ଟାର୍ଗେଟ କରି ଆସୁଛନ୍ତି । ନିକଟରେ ସେ କହିଛନ୍ତି ଯେ ୫୦ ପ୍ରତିଶତ ଶୁଳ୍କ ସମ୍ମୁଖୀନ ହେଉଥିବା ଭାରତ ଖୁବ୍ ଶୀଘ୍ର ଆମେରିକୀୟ ଚାପର ସମ୍ମୁଖୀନ ହେବ । ଗତ ସପ୍ତାହରେ ବ୍ଲୁମବର୍ଗକୁ ଏକ ସାକ୍ଷାତକାରରେ ସେ କହିଥିଲେ, “ମୁଁ ଭାବୁଛି ଗୋଟିଏ କିମ୍ବା ଦୁଇ ମାସ ମଧ୍ୟରେ ଭାରତ ଆଲୋଚନା ଟେବୁଲରେ ରହିବ । ସେମାନେ କ୍ଷମା ମାଗିବେ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆପୋଷ କରିବାକୁ ଚେଷ୍ଟା କରିବେ।”