
ସୁଧୁରିବନି ପାକିସ୍ତାନ । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଇବାକୁ ଯୋଗାଉଛି ପାଣ୍ଠି । ଅପରେସନ ସିନ୍ଦୂର ବେଳେ ମୁରିଡକେ ସ୍ଥିତ ଲସ୍କର ହେଡକ୍ବାର୍ଟରକୁ ସଂପୂର୍ଣ୍ଣ ଧ୍ବଂସ କରି ଦେଇଥିଲା ଭାରତ । ମେ ୭ ତାରିଖରେ ଏୟାର ଷ୍ଟ୍ରାଇକ କରି ହେଡକ୍ବାର୍ଟର ବିଲ୍ଡିଂ କୁ ମାଟିରେ ମିଶାଇ ଦେଇଥିଲା । ହେଡକ୍ବାର୍ଟର ଅସ୍ତ୍ରାଗାର ମଧ୍ୟ ଧ୍ବଂସ ହୋଇ ଯାଇଥିଲା ।
ସୂଚନାନୁଯାୟୀ, ବର୍ତ୍ତମାନ ସେହି ହେଡ୍ କ୍ବାର୍ଟର ପୁନଃନିର୍ମାଣ ପାଇଁ ୪ କୋଟି ଟଙ୍କା ଅନୁମୋଦନ କରିଛି ପାକିସ୍ତାନ ସରକାର । ଏହାର ପୁନଃ ନିର୍ମାଣ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ବନ୍ୟା ସହାୟତା ନାମରେ ମଧ୍ୟ ଏଥିପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି ଲସ୍କର ଆତଙ୍କବାଦୀ । ଆସନ୍ତାବର୍ଷ ଫେବ୍ରୁଆରୀ ସୁଦ୍ଧା ଏହି ହେଡକ୍ବାର୍ଟର ପୁନଃ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଲସ୍କର । ଏହି ଘଟଣାରେ ପାକିସ୍ତାନର ଅସଲ ଚେହେରା ପୁଣି ଥରେ ସାମ୍ନାକୁ ଆସିଛି । ଅପରେସନ ସିନ୍ଦୂରରେ ପାକିସ୍ତାନ ସୀମା ଭିତରେ ଏୟାର ଷ୍ଟ୍ରାଇକ କରି ଏକାଧିକ ଆତଙ୍କବାଦୀ ଶିବିର ଧ୍ବଂସ କରିବା ଭାରତ – ପାକିସ୍ତାନ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।
ପ୍ରକାଶଯୋଗ୍ୟ, ୨୦୦୫ ମସିହାରେ, ଭୂମିକମ୍ପ ସହାୟତା ପାଇଁ ସଂଗୃହୀତ ପାଣ୍ଠିର ୮୦ ପ୍ରତିଶତ ଆତଙ୍କବାଦୀ ଶିବିର ନିର୍ମାଣରେ ଖର୍ଚ୍ଚ ହୋଇଥିଲା । ପାକିସ୍ତାନ ନିଜକୁ ଆତଙ୍କବାଦର ଶିକାର ବୋଲି ଦର୍ଶାଉଛି । କିନ୍ତୁ ମୁରିଦକେରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକର ପୁନଃନିର୍ମାଣ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ସେଠାରେ ସେନା ଏବଂ ISI ମଧ୍ୟରେ ସମ୍ପର୍କ ଏବେ ବି ଦୃଢ଼ ଅଛି । ଅଭିଯୋଗ ହେଉଛି ଯେ, ପାକିସ୍ତାନ ଆଇଏମଏଫରୁ ପ୍ରାପ୍ତ ଟଙ୍କାରେ ଆତଙ୍କବାଦୀ ଆଡ୍ଡା ନିର୍ମାଣ କରୁଛି । ଏ ସମ୍ପର୍କରେ କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି । ତେଣୁ ଭାରତ ଏହାକୁ FATF ସମ୍ମୁଖରେ ଉଠାଇବା ଉଚିତ ।