
ଜୋନପୁର : ୟୁପି ଜୋନପୁରରେ ବଡ଼ ଦୁର୍ଘଟଣା ଘଟିଛି । ଘଟଣାରେ ଅଯୋଧ୍ୟାରୁ ବାରଣାସୀ ଯାଉଥିବା ଏକ ବିଳାସପୂର୍ଣ୍ଣ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଜୋନପୁର ଲାଇନବଜାର ଥାନା ଅଞ୍ଚଳରେ ସିହିପୁର କ୍ରସିଂ ନିକଟରେ ହୋଇଛି ।
ଖବର ମୁତାବକ, ଅଯୋଧ୍ୟାରୁ ବାରଣାସୀ ଯାଉଥିବା ଏକ ବିଳାସପୂର୍ଣ୍ଣ ବସ୍ ନମ୍ବର CG 07 CT 4781 ଏକ ଟ୍ରଲର ଓଭରଟେକ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ବସରେ ଡାହାଣ ଭାଗ ଟ୍ରେଲର ସହିତ ଧକ୍କା ହୋଇଥିଲା । ଫଳରେ ବସଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ବସରେ ମୋଟ ୫୦ ଜଣ ଯାତ୍ରୀ ରହିଥିଲେ । ଏଥିରେ ଅଧିକାଂଶ ଛତିଶଗଡର ରହିଥିଲେ । ଛତିଶଗଡରୁ ଧାର୍ମିକ ସ୍ଥଳକୁ ଯାଉଥିଲେ । ବସରେ ଥିବା ଯାତ୍ରୀ ବାରଣାସୀକୁ ଦର୍ଶନ କରିବାକୁ ଯାଇଥିଲେ । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଯାଇଥିଲା ।
ଜୋନରପୁର ପୋଲିସ ଅଧୀକ୍ଷକ ଡ.କୌସ୍ତୁଭ କହିଛନ୍ତି, ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ମାମଲାର ଯାଞ୍ଚ କରି ଦୁର୍ଘଟଣାର ପତ୍ତା ଲଗାଉଛି । ମୃତକ ଏବଂ ଆହତଙ୍କ ପରିଜନକୁ ସୂଚାଇ ଦିଆଯାଇଛି ।