
ନାସିକ : ମହାରାଷ୍ଟ୍ର ନାସିକର ଏକ ପ୍ରାଇଭେଟ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ସ୍କୁଲରେ ଆତଙ୍କ ଖେଳିଯାଇଥିଲା । ପୋଲିସ ମାମଲାର ଯାଞ୍ଚ କରୁଛି । କିନ୍ତୁ କୌଣସି ସନ୍ଦିଗ୍ଧ ବସ୍ତୁ କିଛି ମିଳିନାହିଁ ।
ପୋଲିସ କହିବା ମୁତାବକ, ଇନ୍ଦିରାନଗର ପୋଲିସ ଷ୍ଟେସନକୁ ସକାଳ ୨.୪୫ରେ ଏକ ଅଜଣା ଇମେଲରୁ ଧମକ ଆସିଥିଲା । ଯେଉଁଥିରେ କୁହାଯାଇଥିଲା କି, ବଡ଼ ପଥରି ରୋଡ ସ୍ଥିତ ନାସିକ କେମ୍ବ୍ରିଜ ହାଇସ୍କୁଲ ବାଥରୁମକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଏହା ବିଷୟରେ ସ୍କୁଲ କର୍ତ୍ତପକ୍ଷକୁ ସୂଚନା ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଟିମ୍ ଆସି ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା । ଯାଞ୍ଚ ସରିବା ପରେ ସାଇବର ପୋଲିସ ଷ୍ଟେସନ ନକଲି ଇମେଲ ଠିକଣା ପତ୍ତା ଲଗାଇବାକୁ ଚେଷ୍ଟା କରୁଛି ।
କିଛିଦିନ ତଳେ ଦିଲ୍ଲୀ ଏବଂ ବମ୍ବେ ହାଇକୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା । ଏହି ମାମଲାର ଯାଞ୍ଚ କରାଯିବା ପରେ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା । ଏଥିରେ ଜଜ ରୁମରେ ୩ଟି ବୋମା ରହିଛି ବୋଲି କୁହାଯାଇଥିଲା । ଏହାପରେ କୋର୍ଟ ପରିସରକୁ ଖାଲି କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଥିଲା ।
କେବଳ ସେତିକି ନୁହେଁ, ଦିଲ୍ଲୀର ପ୍ରତିଷ୍ଠିତ ତାଜ୍ ପ୍ୟାଲେଜ ହୋଟେଲକୁ ମଧ୍ୟ ଉଡ଼ାଇବାକୁ ବୋମା ଧମକ ମିଳିଥିଲା । ଯାହାପରେ ପୋଲିସ ତନାଘନା କରି ଯାଞ୍ଚ କରିବା ପରେ କିଛି ବି ସନ୍ଦିଗ୍ଧ ଜିନିଷ ପାଇନଥିଲା । ଏହାପରେ ପୋଲିସକୁ ମିଛ ଧମକ ମିଳିଥିବା କୁହାଯାଇଥିଲା । ପୋଲିସ ଯାଞ୍ଚ ସମୟରେ ହୋଟେଲରେ ଥିବା ଅତିଥି ଏବଂ ଷ୍ଟାଫ ବହୁତ ସମସ୍ୟା ଭୋଗିଥିଲେ । ତାଜ ପ୍ୟାଲେସ ଏକ ପଞ୍ଚତାରକା ହୋଟେଲ । ଏହା ଦିଲ୍ଲୀର ପ୍ରସିଦ୍ଧ ଅଞ୍ଚଳ ଚାଣକ୍ୟପୁରୀରେ ଅବସ୍ଥିତ । ଏଠାରେ ଅନେକ କୂଟନୀତିଜ୍ଞ, ରାଜନେତା, ବ୍ୟବସାୟୀ ଏବଂ ଅନେକ ଭିଆଇପି ପ୍ରାୟତଃ ରୁହନ୍ତି ।