ରାହୁଲଙ୍କୁ ଆଫ୍ରିଦିଙ୍କ ପ୍ରଶଂସା : ବିଜେପିର ପ୍ରତିକ୍ରିୟା

add-all

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ର ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ସମ୍ପର୍କିତ ଏକ ଟେଲିଭିଜନ୍ ବିତର୍କରେ ଭାଗ ନେଇ ଆଫ୍ରିଦି କହିଥିଲେ ଯେ ରାହୁଲ ଜଣେ ସକାରାତ୍ମକ ମାନସିକତାର ରାଜନେତା। ସେ ପ୍ରତ୍ୟେକ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚାହିଁଥାନ୍ତି। ସେ ଲୋକଙ୍କୁ ସାଥୀରେ ନେଇ ଯିବାକୁ ଚେଷ୍ଟା କରିଥାନ୍ତି। ଆଫ୍ରିଦି ରାହୁଲଙ୍କୁ ଏପରି ପ୍ରଶଂସା କରିଥିବାବେଳେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଆଫ୍ରିଦି କହିଛନ୍ତି ଯେ ଭାରତରେ କ୍ଷମତାସୀନ ସରକାର ସର୍ବଦା ଧର୍ମ ଆଧାରିତ ନିଷ୍ପତ୍ତି ନେଉଛନ୍ତି। ଭାରତ ସରକାର ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ ଉଠାଇ କ୍ଷମତାରେ ରହିବାକୁ ଚେଷ୍ଟା କରୁଛନ୍ତି। ଏହା ଅତ୍ୟନ୍ତ ହୀନ ମାନସିକତା। ସେ (ନରେନ୍ଦ୍ର ମୋଦୀ) କ୍ଷମତାରେ ଥିବା ପର୍ଯ୍ୟନ୍ତ ଭାରତ ସରକାରଙ୍କ ଏପରି ନୀଚ ମାନସିକତା ଜାରି ରହିବ। ଆଫ୍ରିଦି ଆହୁରି କହିଛନ୍ତି ଭାରତ ନିଜକୁ ଇସ୍ରାଏଲ ଭଳି ହେବାକୁ ଚେଷ୍ଟା କରୁଛି।

ରାହୁଲଙ୍କୁ ଆଫ୍ରିଦିଙ୍କ ଏପରି ପ୍ରଶଂସାକୁ ନେଇ ବିଜେପି ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ରାହୁଲ ପାକିସ୍ତାନର ଡାର୍ଲିଂ। ପାକିସ୍ତାନବାସୀ ରାହୁଲଙ୍କୁ ନିଜର ନେତା ନିର୍ବାଚନ କରିବାକୁ ପ୍ରସ୍ତୁତ। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ଭାରତର ଶତ୍ରୁ ଯେତେବେଳେ ରାହୁଲଙ୍କ ପ୍ରଶଂସା କରୁଛନ୍ତି ସେତେବେଳେ ଭାରତବାସୀ ଜାଣିପାରୁଛନ୍ତି ଯେ ତୁମର (ରାହୁଲ) ଦେଶଭକ୍ତି କେଉଁଠି। ବିଜେପି ପ୍ରତିକ୍ରିୟା ଉପରେ ଜବାବ ଦେଇ କଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ସୁପ୍ରିୟା ଶ୍ରୀନେତ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସହିଦ ଆଫ୍ରିଦିଙ୍କ ସହିତ ବିଜେପି ନେତା ଅନୁରାଗ ଠାକୁର ଏକାଠି ଠିଆ ହୋଇଛନ୍ତି। ରବିବାର ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚ ଶେଷରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ଖେଳାଳିଙ୍କ ସହିତ ହ୍ୟାଣ୍ଡସେକ୍ କରି ନଥିଲେ। ଏପରି କି ମ୍ୟାଚ ଆରମ୍ଭ ପୂର୍ବରୁ ଟସ୍ ପଡିବା ସମୟରେ ମଧ୍ୟ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକଙ୍କ ସହିତ ହ୍ୟାଣ୍ଡସେକ୍ କରି ନଥିଲେ। ଭାରତ ଖେଳାଳିଙ୍କ ଏପରି ଆଚରଣକୁ ନେଇ ପାକିସ୍ତାନ କ୍ଷୁବ୍ଧ ହୋଇଛି।

ad-week
Leave A Reply

Your email address will not be published.