
ପାକିସ୍ତାନ: ପାକିସ୍ତାନରେ ଘଟିଛି ଅଭାବନୀୟ ଘଟଣା । ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ କିଛି ଘଣ୍ଟା ମଧ୍ୟରେ ଘଟିଲା ଦୁଇଟି କାର ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ଅତି କମରେ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୨ ଡଜନ ଆହତ ହୋଇଛନ୍ତି । ଅଧିକାରୀମାନେ ଏହି ବିସ୍ଫୋରଣ ବିଷୟରେ ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀ ଇଲାହି ବଖସ୍ କହିଛନ୍ତି ଯେ ପ୍ରଥମ ବିସ୍ଫୋରଣ ବେଲୁଚିସ୍ତାନ ପ୍ରଦେଶର ତୁରବତ ଜିଲ୍ଲାରେ ଘଟିଥିଲା, ଯେତେବେଳେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଏକ ସୁରକ୍ଷା କାଫଲାରେ ଏକ ଗାଡ଼ି ଚଢ଼ାଇ ଦେଇଥିଲେ । ସେ କହିଛନ୍ତି ଯେ ଏହି ଆକ୍ରମଣରେ ୨ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି ଏବଂ ୨୩ ଜଣ ଆହତ ହୋଇଛନ୍ତି ।
ଏଥିସହ କିଛି ଘଣ୍ଟା ପରେ, ସରକାରୀ ପ୍ରଶାସକ ଇମତିଆଜ ଅଲି କହିଛନ୍ତି ଯେ, ଆଫଗାନ ସୀମା ନିକଟବର୍ତ୍ତୀ ଦକ୍ଷିଣ-ପଶ୍ଚିମ ସହର ଚମନରେ ଆଉ ଏକ କାର୍ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ହେଲେ, ପାକିସ୍ତାନୀ ତାଲିବାନ ଏବଂ ବାଲୁଚ୍ ବିଚ୍ଛିନ୍ନତାବାଦୀଙ୍କ ଉପରେ ସନ୍ଦେହ କରାଯାଉଛି, ଯେଉଁମାନେ ପ୍ରାୟତଃ ପ୍ରଦେଶର ସୁରକ୍ଷା ବାହିନୀ ଏବଂ ସାଧାରଣ ଲୋକଙ୍କୁ ଟାର୍ଗେଟ କରନ୍ତି ।
ଆଫଗାନିସ୍ତାନ ସୀମାବର୍ତ୍ତୀ ପାକିସ୍ତାନର ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ ଜୁନ୍ ମାସରେ ପାକିସ୍ତାନରେ ୭୮ଟି ଆତଙ୍କବାଦୀ ଆକ୍ରମଣ ଘଟିଛି । ବେଲୁଚିସ୍ତାନ ପ୍ରାୟ ଦୁଇ ଦଶନ୍ଧି ଧରି ଅଶାନ୍ତିର ସମ୍ମୁଖୀନ ହେଉଛି । ବାଲୁଚିସ୍ତାନ ବିଦ୍ରୋହୀମାନେ ସମ୍ପ୍ରତି ପାକିସ୍ତାନୀ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଅନେକ ମାରାତ୍ମକ ଆକ୍ରମଣ କରିଛନ୍ତି ।
ଏହା ଉଲ୍ଲେଖ କରିବା ଉଚିତ ଯେ ପାକିସ୍ତାନର ଖାଇବର ପଖତୁନଖ୍ୱାରେ ୪୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଅପରେସନରେ ପ୍ରାୟ ୧୯ ଜଣ ସୈନିକ ମଧ୍ୟ ପ୍ରାଣ ହରାଇଥିଲେ । ନିହତ ଆତଙ୍କବାଦୀମାନେ ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ର ଥିଲେ । ଏହି ଅପରେସନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ ପାକିସ୍ତାନ ପୂର୍ଣ୍ଣ ଶକ୍ତି ସହିତ ଆତଙ୍କବାଦ ବିରୋଧରେ ଲଢ଼ିବ ।