
ନୂଆଦିଲ୍ଲୀ : ମାଲାୟାଲମ ସମେତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା, ନିର୍ଦେଶକ ଓ ପ୍ରଯୋଜକ ମୋହନଲାଲଙ୍କୁ ସମ୍ମାନ ଜନକ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆସନ୍ତା ମଙ୍ଗଳବାର ଏଠାରେ ଅନୁଷ୍ଠିତ ହେବାକୁ ଥିବା ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ତାଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ୨୦୨୩ ପାଇଁ ମୋହନଲାଲଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଭଳି ସମ୍ମାନ ପ୍ରଦାନ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସୂଚନା ପ୍ରସାରଣ ମନ୍ତ୍ରୀ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମୋହନଲାଲ ବିଶ୍ବନାଥନ ନାୟାର ୧୯୬୦ ମେ’ ୨୧ରେ କେରଳର କୋଲ୍ଲାମ (ବର୍ତ୍ତମାନ ପଠନମଥିଟ୍ଟା) ଜିଲାରେ ଜନ୍ମଗ୍ରହଣ କରିଥିଲେ। ତିରୁଅନନ୍ତପୁରମସ୍ଥିତ ମହାତ୍ମା ଗାନ୍ଧୀ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ମୋହନଲାଲ ୧୯୭୮ରେ ମାତ୍ର ୧୮ ବର୍ଷ ବୟସରେ
ମାଲାୟଲମ ଚଳଚ୍ଚିତ୍ର ‘ଥିରାନୋଟ୍ଟାମ’ ଚଳଚ୍ଚିତ୍ରରେ ପ୍ରଥମେ ଅଭିନୟ କରିଥିଲେ। ତେବେ ବିଭିନ୍ନ କାରଣରୁ ଏହି ଚଳଚ୍ଚିତ୍ରକୁ ମୁକ୍ତିଲାଭ କରିବାକୁ ୨୫ ବର୍ଷ ସମୟ ନେଇଥିଲା। ୧୯୮୦େର ତାଙ୍କ ଅଭିନୀତ ‘ମଞ୍ଜିଲ ଭିରିଞ୍ଜା ପୋକ୍କାଲ’ ମୁକ୍ତିଲାଭ କରିଥିଲା। କ୍ୟାରିୟରର ପ୍ରଥମ ସୋପାନରେ ମୋହନଲାଲ ଖଳନାୟକ ଏବଂ ସହଯୋଗୀ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଅଶୀ ଦଶକରେ ସେ ନାୟକ ଭୂମିକାରେ ଅଭିନୟ କରିଥିବାବେଳେ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ସୁପରହିଟ୍ ହୋଇଥିଲା।
ଦୀର୍ଘ ପାଞ୍ଚ ଦଶନ୍ଧିର କ୍ୟାରିୟରରେ ସେ ମାଲାୟାଲମ, ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟରେ କିରିଦମ୍, ଭାରତମ୍, ଦୃଶ୍ୟମ, ବାନପ୍ରସ୍ଥମ ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିଲା। ବାନପ୍ରସ୍ଥମ ଚଳଚ୍ଚିତ୍ର ୧୯୯୯ କ୍ୟାନ୍ସ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା। ମୋହନଲାଲ ଇତିମଧ୍ୟରେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିସାରିଛନ୍ତି। ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ଏବଂ ୨୦୧୯ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ୨୦୦୯ରେ ମୋହନଲାଲଙ୍କୁ ଭାରତୀୟ ପ୍ରାଦେଶିକ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାହ୍ୟା ପ୍ରଦାନ କରାଯାଇଥିଲା।
୧୯୬୯ରେ ଦାଦାସାହେବ ଫାଲକେ ପୁରସ୍କାର ପ୍ରଚଳିତ ହୋଇଥିବାବେଳେ ଦେବିକା ରାଣୀ ହେଉଛନ୍ତି ପ୍ରଥମ ବିଜେତା। ଏ ପର୍ଯ୍ୟନ୍ତ ୫୫ ଜଣଙ୍କୁ ଏହି ପୁରସ୍କାର ମିଳିସାରିଛି। ପୁରସ୍କାର ବାବଦରେ ବିଜେତାଙ୍କୁ ସ୍ବର୍ଣ୍ଣକମଳ, ଶାଲ ଓ ନଗଦ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। ଚଳିତବର୍ଷର ମନୋନୟନ କମିଟିରେ ମିଠୁନ ଚକ୍ରବର୍ତ୍ତୀ, ଶଙ୍କର ମହାଦେବନ ଓ ଆଶୁତୋଷ ଗୋୱାରିକର ସଦସ୍ୟ ରହିଥିଲେ।