
ପାଲେଷ୍ଟାଇନକୁ ମିଳିଲା ସ୍ବାଧୀନ ରାଷ୍ଟ୍ରର ମାନ୍ୟତା । ଅଷ୍ଟେଲିଆ, ବ୍ରିଟେନ୍ ଓ କାନାଡା ମିଳିତ ଭାବେ ପାଲେଷ୍ଟାଇନକୁ ସ୍ବାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରିଛନ୍ତି । ଏନେଇ ଏକ ଘୋଷଣାପତ୍ର ଜାରି କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିସ୍ ।
ସୂଚନାନୁଯାୟୀ, ଗତ କାଲିଠାରୁ ଅର୍ଥାତ ରବିବାରରୁ ପାଲେଷ୍ଟାଇନକୁ ସ୍ବାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ଆମେରିକା ଏବଂ ଇସ୍ରାଏଲର କଡ଼ା ବିରୋଧ ସତ୍ତ୍ୱେ ଏହି ପଦକ୍ଷେପ ନିଆଯାଇଛି । ପାଲେଷ୍ଟାଇନ ଲୋକଙ୍କ ଶାନ୍ତିର ଆଶାକୁ ଉଜ୍ଜୀବିତ ରଖିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ଆଲବାନିସ୍ କହିଛନ୍ତି । ତେବେ ଏହି ମାନ୍ୟତା ହମାସକୁ ନୁହେଁ ବରଂ ପାଲେଷ୍ଟାଇନୀ ଲୋକଙ୍କୁ ଦିଆଯାଇଛି । ଘୋଷଣାପତ୍ରରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଭବିଷ୍ୟତର ଶାସନରେ ହମାସର କୌଣସି ସ୍ଥାନ ରହିବ ନାହିଁ । ୭ ଅକ୍ଟୋବର, ୨୦୨୩ ଆକ୍ରମଣରେ ବନ୍ଦୀ ହୋଇଥିବା ଇସ୍ରାଏଲୀ ବନ୍ଧକମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ରହିଛି ।
ସେପଟେ ଗାଜା ସହରରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଶତାଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି ।