
ଫିଲିପାଇନ୍ସ : ଫିଲିପାଇନ୍ସରେ ଶକ୍ତିଶାଳୀ ’ରାଗାସା’ତାଣ୍ଡବ ରଚିଛି । ’ରାଗାସା’ର ତାଣ୍ଡବ ମହାବତ୍ୟାଠାରୁ କମ୍ ନଥିଲା । ରାଗାସା ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ୨୭୦ କିଲୋମିଟର ପବନ ବହିବା ଆରମ୍ଭ ହୋଇଥିଲା । ଏହି ଭୟାବହ ତୋଫାନକୁ ଦୃଷ୍ଟିରେ ରଖି ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା ।
ସୂଚନାନୁଯାୟୀ, ରାଗାସା ପ୍ରଭାବରେ ଫିଲିପାଇନ୍ସରେ ଅନେକ ଘରଦ୍ବାର ଭାଙ୍ଗିବା ସହିତ ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିଛି । ଏହାରି ମଧ୍ୟରେ ଫିଲିପାଇନ୍ସ ମଧ୍ୟ ହାଇ ଆଲର୍ଟ ଜାରି କରିଛି । ଫିଲିପାଇନ୍ସ ବ୍ୟତୀତ ଏହାର ପ୍ରଭାବ ହଂକଂ, ତାଇୱାନ୍ ଏବଂ ଚୀନ୍ ଉପରେ ପଡିଥିବା ଜଣାପଡିଛି । ଫଳରେ ତାଇୱାନ ସମସ୍ତ ବିମାନ ଉଡ଼ାଣ ବନ୍ଦ କରିଥିଲାବେଳେ ହଂକଂ ବିମାନବନ୍ଦର ଆଗାମୀ ୩୬ ଘଣ୍ଟା ପାଇଁ ସମସ୍ତ ଉଡ଼ାଣ ବନ୍ଦ କରିଛି । ଏହି ଭୟଙ୍କର ଝଡ଼ ପାଇଁ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି ।
ଅନ୍ୟପଟେ ଚୀନର ସନଜେନ ସହରରୁ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେହିପରି ପୂର୍ବ ତାଇୱାନର ହୁଆଲିଏନ୍ କାଉଣ୍ଟିରୁ ପ୍ରାୟ ୩୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଝୁହାଇ ଏବଂ ଜିଆଙ୍ଗମେନରେ ସ୍କୁଲ ସମେତ କାମ, କାରଖାନା, ବସ୍ ଏବଂ ଦୋକାନ ବନ୍ଦ ରହିଥିବାବେଳେ ତାଇୱାନରେ ମଧ୍ୟ ସମସ୍ତ ସେବା ବନ୍ଦ କରାଯାଇଛି । ବନ୍ୟା ଏବଂ ଝଡ଼ ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।