ପାଲେଷ୍ଟାଇନକୁ ଫ୍ରାନ୍ସର ସ୍ବୀକୃତି

add-all

ଜାତିସଂଘ: ମଙ୍ଗଳବାରଠାରୁ ଜାତିସଂଘ ସାଧାରଣ ପରିଷଦର ବୈଠକ ଆରମ୍ଭ ହୋଇଛି। ଏହି ଅବସରରେ ଫ୍ରାନ୍ସ ପକ୍ଷରୁ ପାଲେଷ୍ଟାଇନକୁ ସ୍ବାଧୀନ ରାଷ୍ଟ୍ରଭାବେ ସ୍ବୀକୃତି ପ୍ରଦାନ କରାଯାଇଛି। ଏଥିସହିତ ହମାସ୍‌ (ପାଲେଷ୍ଟାଇନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ) ବିରୋଧରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ଏହି ଦୁଇ ରାଷ୍ଟ୍ର ଇସ୍ରାଏଲକୁ ଅନୁରୋଧ କରିଥିବା ଜଣାପଡିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି ଯେ ଉଭୟ ପାଲେଷ୍ଟାଇନ ଓ ଇସ୍ରାଏଲ ନାଗରିକମାନେ ପୃଥକ୍‌ ଭାବେ ବାସ କରୁଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ ଗଭୀର ଆଧ୍ୟାତ୍ମିକ ସମ୍ପର୍କ ରହିଛି। ତେଣୁ ଗାଜାରେ ଚାଲିଥିବା ଯୁଦ୍ଧର କୌଣସି ନ୍ୟାୟିକ ପ୍ରାସଙ୍ଗିକତା ନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସାଉଦି ଆରବ ପକ୍ଷରୁ ବୈଠକରେ ବିଦେଶ ମନ୍ତ୍ରୀ ଫୈଜଲ ବିନ୍‌ ଫରହାନ୍‌ ପ୍ରତିନିଧିତ୍ବ କରୁଛନ୍ତି। ଫୈଜଲ କହିଛନ୍ତି ଯେ ଆଜକୁ ଏକ ଦଶନ୍ଧି ପୂର୍ବେ ସାଉଦି ଆରବ ସମେତ ଏକାଧିକ ମୁସଲମାନ ବହୁଳ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ପାଲେଷ୍ଟାଇନକୁ ସ୍ବୀକୃତି ଦେଇସାରିଛନ୍ତି।

୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଏ ପର୍ଯ୍ୟନ୍ତ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନାହିଁ। ଇସ୍ରାଏଲ ଆକ୍ରମଣରେ ପାଲେଷ୍ଟାଇନର ଗାଜା ଉପତ୍ୟକା ଶ୍ମଶାନ ପାଲଟିଥିବାବେଳେ ଲକ୍ଷାଧିକ ପାଲେଷ୍ଟାଇନବାସୀଙ୍କ ଜୀବନ ଦୁର୍ବିସହ ହୋଇପଡିଲାଣି। ଯୁଦ୍ଧ ବନ୍ଦ କରିବାକୁ ଆନ୍ତର୍ଜାତିକ ଚାପ ପଡୁଥିଲେ ସୁଦ୍ଧା ଇସ୍ରାଏଲ ଏଥିପ୍ରତି କର୍ଣ୍ଣପାତ କରୁନାହିଁ। କିଛି ଦିନ ପୂର୍ବେ ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆ ପାଲେ​ଷ୍ଟାଇନକୁ ସ୍ବୀକୃତି ଦେଇସାରିଛନ୍ତି। ଅପରପକ୍ଷରେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ର ପାଲେଷ୍ଟାଇନକୁ ସ୍ବୀକୃତି ଦେଉଥିବାରୁ ଆମେରିକା ଓ ଇସ୍ରାଏଲ କ୍ଷୁବ୍ଧ ହୋଇପଡିଛନ୍ତି। ପାଲେଷ୍ଟାଇନକୁ ସ୍ବୀକୃତି ଦେବା ଅର୍ଥ ହମାସ୍‌କୁ ପୁରସ୍କୃତ କରିବା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଟ୍ରମ୍ପଙ୍କ ନିର୍ଦେଶକ୍ରମେ ପାଲେଷ୍ଟାଇନ ନାଗରିକଙ୍କୁ ବର୍ତ୍ତମାନ ଆମେରିକା ଭିସା ପ୍ରଦାନ କରାଯାଉନାହିଁ।

ad-week
Leave A Reply

Your email address will not be published.