ରାସ୍ତାରେ ଚଳାଚଳ କରୁଥିଲା ଯାନବାହନ, ୫୦ ମିଟର ଗଭୀରକୁ ହଠାତ ଦବିଗଲା ମାଟି

youtube

ବ୍ୟାଂକକ୍ : ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଂକକର ଏକ ବ୍ୟସ୍ତବହୁଳ ରାସ୍ତା ହଠାତ୍ ମାଟିରେ ଦବିଯାଇଛି । ଫଳରେ ୫୦ ମିଟର ଗଭୀରର ସିଙ୍କ୍ ହୋଲ୍ ସୃଷ୍ଟି ହୋଇଥିଲା । ବଡ଼ ସିଙ୍କ ହୋଲ୍ ହେବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ।  ତେଣୁ ବ୍ୟାଂକକର ଭାଜିରା ହସ୍ପିଟାଲ ଚାରିପାଖ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ପଡିଲା । ଏଥି ସହିତ ରାସ୍ତା ପାଖରେ ଥିବା ବିଦ୍ୟୁତ୍ ଖୁଣ୍ଟଗୁଡିକ ମଧ୍ୟ ଭାଙ୍ଗିପଡିଥିଲା ।

ସୂଚନାନୁଯାୟୀ, ଏପରି ଘଟଣା ବୁଧବାର ଦିନ ଦେଖିବାକୁ ମିଳିଥିଲା । ବ୍ୟାଙ୍କକର ଏକ ହସ୍ପିଟାଲ ସମ୍ମୁଖରେ ୫୦ ମିଟର ଗଭୀର ସିଙ୍କ୍ ହୋଲ୍ ଖୋଲିଯାଇଥିଲା । ଯାହା ଦ୍ବାରା କାର ଏବଂ ବିଦ୍ୟୁତ୍ ଖୁଣ୍ଟ ପୋତି ହୋଇଯାଇଥିଲା । ଏପରି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହି ଦୁର୍ଘଟଣା ପାଇଁ ନିକଟରେ ଥିବା ଏକ ଅଣ୍ଡରଗ୍ରାଉଣ୍ଡ ରେଲୱେ ଷ୍ଟେସନକୁ ଦାୟୀ କରାଯାଉଛି । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି । ବଡ଼ ଗାତ ହେବା ଯୋଗୁଁ ପାଇପଲାଇନ୍ ଫାଟି ପାଣି ବହିବା ଆରମ୍ଭ କରିଥିଲା । ଏହା ସହିତ ଭାଙ୍ଗି ପଡିଥିବା ବିଦ୍ୟୁତ୍ ତାରଗୁଡିକ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ପଡିଥିଲା । ଏହା ବ୍ୟତୀତ ଘଟଣାସ୍ଥଳ ନିକଟବର୍ତ୍ତୀ ସ୍ଥାନରେ ଥିବା ଆପାର୍ଟମେଣ୍ଟର ବାସିନ୍ଦା ଏବଂ ହସ୍ପିଟାଲର ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହି ଘଟଣାରେ କୌଣସି ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ । ତୁରନ୍ତ ଘଟଣାସ୍ଥଳରେ ଜରୁରୀକାଳୀନ ଏବଂ ଇଞ୍ଜିନିୟରିଂ ଦଳଗୁଡ଼ିକ ପହଞ୍ଚି ଅଞ୍ଚଳକୁ ସଫା କରିବା ସହିତ କ୍ଷୟକ୍ଷତିକୁ ରୋକିବା ପାଇଁ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ସିଙ୍କହୋଲଟି ବିପଦ ସୃଷ୍ଟି କରୁଥିବାରୁ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଷ୍ଟେସନକୁ ବନ୍ଦ କରାଯାଇଛି ।

ଅନ୍ୟପଟେ ବ୍ୟାଂକକର ରାଜ୍ୟପାଳ ଚାଡଚାର୍ଟ ସିଟିପୁଣ୍ଟ କହିଛନ୍ତି ଯେ ଦୁର୍ଘଟଣାରେ କୌଣସି ମୃତାହତ ହୋଇନାହିଁ, କିନ୍ତୁ ତିନୋଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ଅଣ୍ଡରଗ୍ରାଉଣ୍ଡ ରେଲୱେ ଷ୍ଟେସନ ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି । ତେଣୁ ବର୍ତ୍ତମାନ ୨ ଦିନ ପାଇଁ ଅନ୍ୟ ରୋଗୀ ସେବାକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଏଥି ସହ କର୍ତ୍ତୃପକ୍ଷ ଯଥାଶୀଘ୍ର ଗାତକୁ ମରାମତି କରିବା ପାଇଁ କାମ କରୁଛନ୍ତି, କାରଣ ପ୍ରବଳ ବର୍ଷା ଯୋଗୁଁ ଆହୁରି କ୍ଷତି ହେବାର ଆଶଙ୍କା ରହିଛି ବୋଲି ମଧ୍ୟ ରାଜ୍ୟପାଳ କହିଛନ୍ତି ।

Leave A Reply

Your email address will not be published.