
ଉମରକୋଟ/ରାଇଘର: ନବରଙ୍ଗପୁର ଜିଲ୍ଲାର ଉମରକୋଟ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଓ ଜନନେତା ସ୍ୱର୍ଗତ ଜଗବନ୍ଧୁ ମାଝୀ ଏବଂ ତାଙ୍କ ଅଙ୍ଗରକ୍ଷୀ ସ୍ୱର୍ଗତ ପ୍ରଶାନ୍ତ କୁମାର (ପିଙ୍କୁ) ପାତ୍ରଙ୍କ ୧୫ତମ ସହିଦ ଦିବସ ଆଜି ଗୋନାରେ ଅତ୍ୟନ୍ତ ଗମ୍ଭୀରତାର ସହିତ ପାଳିତ ହୋଇଯାଇଛି।
ଏହି ଅବସରରେ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା, ସ୍ଥାନୀୟ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଜନତା ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭାରେ ବକ୍ତାମାନେ ସ୍ୱର୍ଗତ ଜଗବନ୍ଧୁ ମାଝୀଙ୍କ ଓଡ଼ିଶା ରାଜନୀତିରେ ଥିବା ସ୍ୱତନ୍ତ୍ର ପରିଚୟ, ତାଙ୍କର ସେବାଭାବ ଓ ସାହସୀ ଚରିତ୍ର ବିଷୟରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ସେ ଆଜି ବି ଲୋକଙ୍କ ମନରେ ଅମର ହୋଇ ରହିଛନ୍ତି।
“ସହିଦ ଜଗବନ୍ଧୁ ମାଝୀ ଅମର ରହନ୍ତୁ” ଓ “ସହିଦ ପିଙ୍କୁ ପାତ୍ର ଅମର ରହନ୍ତୁ” ଧ୍ୱନିରେ ସଭାସ୍ଥଳ ପ୍ରକମ୍ପିତ ହୋଇଉଠିଥିଲା। ଆଜିର ଲଘୁଚାପ ଜନିତ ବର୍ଷାକୁ ଖାତିର ନ କରି ବହୁ ବିଜେଡି କର୍ମୀ ଉପସ୍ଥିତ ହୋଇ ମିଳିତ ଭାବରେ ଏହି ସହିଦ ଦିବସକୁ ସୁରୁଖୁରୁରେ ପାଳନ କରିଥିଲେ।