
ପେଶୱାର : ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି । ଏପରି ଦୁର୍ଘଟଣା ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଦେଖିବାକୁ ମିଳିଛି । ଗାଡ଼ିଟି ଝୋବ ଜିଲ୍ଲାରୁ ଡେରା ଇସମାଇଲ ଖାନ ଅଭିମୁଖେ ଯାଉଥିବା ସମୟରେ ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ, ଗାଡ଼ିଟି ଝୋବ ଜିଲ୍ଲାରୁ ଡେରା ଇସମାଇଲ ଖାନ ଅଭିମୁଖେ ଯାଉଥିଲା । ଫଳରେ ଗାଡ଼ିର ବ୍ରେକ୍ ଫେଲ୍ ହେବା ଯୋଗୁଁ ଗାଡ଼ିଟି ଏକ ଖାତକୁ ଖସି ପଡ଼ିବାରୁ ଦୁର୍ଘଟଣା ଘଟିଥିଲା ବୋଲି ଅଧିକାରୀମାନେ କହିଛନ୍ତି । ଏପରି ଘଟଣା ଡେରା ଇସମାଇଲ ଖାନ ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଥିଲା । ଦୁର୍ଘଟଣା ହେବାର ସୂଚନା ପାଇବା ମାତ୍ରେ ତୁରନ୍ତ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରୁ ସାତଟି ମୃତଦେହ ଉଦ୍ଧାର କରାଯାଇଥିବା ଉଦ୍ଧାରକାରୀ ଟିମ୍ କହିଛନ୍ତି । ସେହି ମୃତକ ମଧ୍ୟରେ ୫ ଜଣ ମହିଳା ଥିବାବେଳେ ଜଣେ ପୁରୁଷ ଏବଂ ଜଣେ ଶିଶୁ ରହିଛନ୍ତି । ଅନ୍ୟ ୩ ଜଣ ଆହତଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକ ଗୋଟିଏ ପରିବାରର ବୋଲି ଅଧିକାରୀ ନିଶ୍ଚିତ କରିଛନ୍ତି ।