
ଲଦାଖ : ଲେହ ହିଂସା ମାମଲାରେ ସୋନମ ୱାଙ୍ଗଚୁକ ଗିରଫ । ଜାତୀୟ ସୁରକ୍ଷା ଆଇନ ବଳରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ କେନ୍ଦ୍ର ଶାସିତ ଅଞ୍ଚଳର ଲଦାଖକୁ ପୂର୍ଣ୍ଣ ରାଜ୍ୟମାନ୍ୟତା ଦାବିରେ ଆନ୍ଦୋଳନରତ ବିକ୍ଷୋଭକାରୀଙ୍କୁ ଉସୁକାଇବା ଅଭିଯୋଗ ରହିଛି । ଡିଜିପି ଏସଡି ସିଂ ଜାମୱାଲଙ୍କ ନେତୃତ୍ବରେ ଲଦାଖ ପୋଲିସର ଏକ ଟିମ ତାଙ୍କୁ ଗିରଫ କରିଛି । ୱାଙ୍ଗଚୁକଙ୍କ ଗିରଫ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲେହ ଲଦାଖରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏହା ସହ ବ୍ରଡବ୍ୟାଣ୍ଡର ସ୍ପିଡକୁ ହ୍ରାସ କରାଯାଇଛି ।
ଲଦାଖକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ, ଲଦାଖକୁ ସମ୍ବିଧାନର ଷଷ୍ଠ ସୂଚୀରେ ସାମିଲ କରିବା ଓ ସ୍ଥାନୀୟ ପ୍ରଶାସନକୁ ମଜଭୁତ କରିବା ଆଦିରେ ଗତ କିଛି ଦିନ ଧରି ଅନଶନରେ ଥିଲେ ଲଦାଖର ସମାଜସେବୀ ତଥା ଶିକ୍ଷାବିତ ସୋନମ ୱାଙ୍ଗଚୁକ । ଏହାକୁ ନେଇ ଲେହର ଆପେକ୍ସ ବଡି ମଧ୍ୟ ଆନ୍ଦୋଳନ କୁ ଓହ୍ଲାଇଥିଲା । କିନ୍ତୁ ଅନଶନ ବେଳେ ୱାଙ୍ଗଚୁକ ଦେଇଥିବା ଭାଷଣ ଦ୍ବାରା ଆନ୍ଦୋଳନ ହଠାତ ହିଂସ୍ର ହୋଇଉଠିଥିବା କେନ୍ଦ୍ର ଗୃହମନ୍ତ୍ରାଳୟ ଅଭିଯୋଗ କରିଛି । ଫଳରେ ୨୪ ତାରିଖରେ ସଂଗଠିତ ଉଗ୍ର ହିଂସାରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା । ୯୦ରୁ ଅଧିକ ଲୋକ ଆହତ ହୋଇଥିଲେ । ପରେ ଲେହରେ କର୍ଫ୍ୟୁ ଲାଗୁ କରାଯାଇଥିଲା । ଗତକାଲି ତାଙ୍କ ଏନଜିଏର ବିଦେଶୀ ପାଣ୍ଠି ସଂଗ୍ରହ ଲାଇସେନସକୁ ରଦ୍ଦ କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ । ପାଣ୍ଠି ସଂଗ୍ରହରେ FCRAର ଉଲ୍ଲଙ୍ଘନ ହୋଇଥିବା ଦର୍ଶାଯାଇଥିଲା । ତେବେ ଏହାକୁ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ । ସେପଟେ ୱାଙ୍ଗଚୁକଙ୍କ ସମର୍ଥକ ମାନେ ଆନ୍ଦୋଳନକୁ ଦବାଇବାକୁ ସରକାରଙ୍କ ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି ।