ଗଞ୍ଜାମ ଜିଲ୍ଲାରେ ନିପୁଣ ଓଡିଶା ମିଶନ୍ ର ସଫଳ କାର୍ଯ୍ୟାନ୍ବୟନ ନେଇ ସମୀକ୍ଷା ବୈଠକ

youtube

ଛତ୍ରପୁର : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆବାହନରେ ଜାତୀୟ ଶିକ୍ଷାନୀତି-2020 ଅନ୍ତର୍ଗତ ନିପୁଣ ଓଡିଶା ମିଶନ୍ ର ବିଗତ ମାସର ବିଭିନ୍ନ କାର୍ଯ୍ୟାନ୍ବୟନ ଏବଂ କାର୍ଯ୍ୟ ଅଗ୍ରଗତି ସମ୍ପର୍କିତ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ର ସମୀକ୍ଷା ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସୁନିଲ୍ କୁମାର କେର୍କେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।
ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ । ତେଣୁ ସେମାନଙ୍କ ମଧ୍ୟରେ ବାଲ୍ୟାବସ୍ଥାରୁ ମୌଳିକ ଅର୍ଥାତ ସ୍ବକୀୟ ଭାଷା, ଅଙ୍କ ଓ ସଂଖ୍ୟା ଜ୍ଞାନ ଏବଂ ଅନ୍ତର୍ନିହିତ ପ୍ରତିଭାର ସମୁଚିତ ବିକାଶ କରିବା ହେଉଛି ନିପୁଣ ଓଡିଶା ମିଶନ୍ ର ଲକ୍ଷ୍ୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ ଅନେକ ପ୍ରାଧାନ୍ୟ ଦେଉଛନ୍ତି । ଅଦ୍ୟାବଧି ଗଞ୍ଜାମ ଜିଲ୍ଲା ଏ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିଛି । ଆଗକୁ ଏହି କ୍ରିୟାଶୀଳତା ଜାରି ରଖିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କେର୍କେଟା ପରାମର୍ଶ ଦେଇଛନ୍ତି ।
ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ପୁସ୍ତିକା ଓ ଉପକରଣ ବଣ୍ଟନ, ଶିକ୍ଷକ ମାନଙ୍କର ଦକ୍ଷତା ବିକାଶ, ନିୟନ୍ତ୍ରଣ କକ୍ଷର ସ୍ଥାପନା ଓ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ଓ ପରିସଂଖ୍ୟାନ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପରିଡା ବୈଠକରେ ଉପସ୍ଥାପନ କରିଥିଲେ । ସମସ୍ତ କାର୍ଯ୍ୟକୁ ଶତପ୍ରତିଶତ ସଫଳ କରି ଗଞ୍ଜାମ ଜିଲ୍ଲାର ସୁନାମକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ଜିଲ୍ଲାରେ ପରିଚାଳିତ ଶିଶୁ ବାଟିକା ଓ ବିଦ୍ୟାଳୟ ମାନଙ୍କରେ ଗଣିତ କାର୍ଯ୍ୟ ପୁସ୍ତିକା ଏବଂ ଭାଷାକାର୍ଯ୍ୟ ପୁସ୍ତିକା ( ପ୍ରଥମ ରୁ ତୃତୀୟ ଶ୍ରେଣୀ) ପ୍ରାୟତଃ ପହଞ୍ଚି ସାରିଛି । ୨୯୩ ଜଣ ସି.ଆର୍.ସି.ସି. ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଏହି ମିଶନ୍ ର ସଫଳତା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରଶିକ୍ଷଣ ଉପରେ ବିଶେଷ ଭାବରେ ନିର୍ଭର କରୁଥିବାରୁ ପ୍ରଶିକ୍ଷଣ କାର୍ଯ୍ୟକୁ ଆହୁରି ଅଧିକ ଶାଣୀତ ଓ ବ୍ୟବସ୍ଥିତ କରାଯିବ । ହିଞ୍ଜିଳିକାଟୁ, ଖଲ୍ଲିକୋଟ, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଏବଂ ବୁଗୁଡା ବ୍ଲକ୍ ପୁସ୍ତିକା ଓ ଉପକରଣ ଆବଣ୍ଟନରେ ଶତ ପ୍ରତିଶତ ସଫଳତା ହାସଲ କରିଥିଲା ବେଳେ ଅନ୍ୟ ବ୍ଲକ୍ ମାନେ ମଧ୍ୟ ଏ ଦିଗରେ ଅଗ୍ରସର ହେଉଛନ୍ତି । ଜିଲ୍ଲା ନିପୁଣ କମିଟିର ସ୍ଥାପନ ଓ ସଦସ୍ୟ ଚୟନ, ସଦସ୍ୟ ମାନଙ୍କର ଭୂମିକା ଓ ଦାୟିତ୍ବ, ବଜେଟ୍, ତାଲିମ ପ୍ରକ୍ରିୟାର କ୍ରିୟାଶୀଳତା ଏବଂ ତୃଣମୂଳ ସ୍ତରରେ ମିଶନ୍ ର ସଫଳ କାର୍ଯ୍ୟାନ୍ବୟନ ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା ।
ବୈଠକରେ ଅତିରିକ୍ତ ଶିକ୍ଷାଧିକାରୀ ଡ. ପ୍ରଭାତି ମହାପାତ୍ର , ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଡି.ଆଇ.ଇ.ଟି ଖଲ୍ଲିକୋଟ ସିନିୟର୍ ଟି.ଇ. ଡ.ନିହାରିକା ସାମନ୍ତରାୟ, ବ୍ଲକ୍ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀ, ସି.ଆର୍.ସି.ସି. ରାଜପୁର, ଗଞ୍ଜାମ, ପ୍ରଧାନଶିକ୍ଷକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବକ୍ସିପଲ୍ଲୀ, ରଙ୍ଗେଇ ଲୁଣ୍ଡା, ପ୍ରଧାନଶିକ୍ଷକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କତୁରୁ, ସି.ଡି.ପିଓ ଛତ୍ରପୁର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.