ବିବାହ ପ୍ରତାରଣା ଓ ବ୍ଲାକମେଲିଂ ଅଭିଯୋଗ : OSRTC ଡ୍ରାଇଭର ଗିରଫ; ଅନ୍ତରଙ୍ଗ ଭିଡିଓ ଭାଇରାଲ ଧମକ ଦେଇ ୫ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ
ବ୍ରହ୍ମପୁର : ବିବାହର ପ୍ରଲୋଭନ ଦେଖାଇ ଅନ୍ତରଙ୍ଗ ଭିଡିଓ ଉତ୍ତୋଳନ କରିବା ଏବଂ ପରବର୍ତ୍ତୀ ସମୟରେ ତାହାକୁ ଭାଇରାଲ କରିବାର ଧମକ ଦେଇ ଲକ୍ଷାଧିକ ଟଙ୍କା ଦାବି କରିବା ଅଭିଯୋଗରେ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଜଣେ ସରକାରୀ ବସ୍ ଡ୍ରାଇଭରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର ୩୬ ବର୍ଷୀୟ ତାପସ ସେଠୀ। ସେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ବ୍ରହ୍ମପୁର ଡିପୋରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ମସିହା ଶେଷ ଆଡ଼କୁ OSRTCରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟରତ ଜଣେ ୩୦ ବର୍ଷୀୟା ଯୁବତୀଙ୍କ ସହ ତାପସଙ୍କ ପରିଚୟ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ବିବାହର ପ୍ରତିଶ୍ରୁତି ଦେଇ ତାପସ ବିଗତ ପ୍ରାୟ ଏକ ବର୍ଷ ଧରି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଏହି ସମୟରେ ସେ ଚତୁରତାର ସହ ଯୁବତୀଙ୍କ କିଛି ଅନ୍ତରଙ୍ଗ ଫଟୋ ଓ ଭିଡିଓ ମୋବାଇଲ୍ରେ ରେକର୍ଡ କରି ରଖିଥିଲେ।
ମହିଳା ଜଣକ ବିବାହ କରିବା ପାଇଁ ବାଧ୍ୟ କରିବାରୁ ତାପସ ପ୍ରତାରଣା କରିବା ସହ ତାଙ୍କ ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ସହିତ ସମ୍ପୃକ୍ତ ଅନ୍ତରଙ୍ଗ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। କେବଳ ସେତିକି ନୁହେଁ, ସେହି ଆପତ୍ତିଜନକ ଭିଡିଓ ଓ ଫଟୋ ଡିଲିଟ୍ କରିବା ପାଇଁ ସେ ମହିଳାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟ ଦାବି କରି ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ।
ନିରୁପାୟ ହୋଇ ମହିଳା ଜଣକ ଗୁରୁବାର ସକାଳ ପ୍ରାୟ ୧୦ଟା ୧୦ ମିନିଟ୍ରେ ବଡ଼ବଜାର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଏତଲା ଦାଏର କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍ ନଂ ୭୩୯/୨୦୨୬ ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୬୯, ୩୦୮(୫), ୩୫୧(୨) ତଥା ଆଇଟି ଆକ୍ଟର ଧାରା ୬୬(E) ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ପ୍ରକ୍ରିୟା ମଧ୍ୟରେ ପୋଲିସ ଉଭୟ ପକ୍ଷ ଓ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିବା ସହ ଅଭିଯୋଗକାରିଣୀ ଓ ଅଭିଯୁକ୍ତଙ୍କର ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରୀ ମାଇନା କରାଇଛି। ଏହା ସହିତ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ମୋବାଇଲ୍ ଫୋନ୍ (OPPO A5 Pro 5G ଓ OPPO F29 5G), ସିମ୍ କାର୍ଡ, ପୋଷାକ, ଆଧାର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଜବତ କରାଯାଇଛି।
ଅଭିଯୋଗ ସମ୍ପର୍କିତ ପର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ପୋଲିସ ଆଇନଗତ ନିୟମାବଳୀ ଅନୁଯାୟୀ ଅପରାହ୍ନ ୧ଟା ୧୦ ମିନିଟ୍ରେ ଅଭିଯୁକ୍ତ ତାପସ ସେଠୀଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ବ୍ରହ୍ମପୁର ଏସଡିଜେଏମ୍ (SDJM) କୋର୍ଟରେ ହାଜର କରାଯାଇ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
