ଧରାକୋଟ ଓ ସାନଖେମୁଣ୍ଡିରେ ହଇଜା ଆତଙ୍କ: ୧୫ ଦିନରେ ୪ ମୃତ୍ୟୁ ଅଭିଯୋଗ, ହଇଜା କଥାକୁ ଖଣ୍ଡନ କଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ

ଆସିକା/ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲାର ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ସୃଷ୍ଟି କରିଛି। ବିଗତ ୧୫ ଦିନ ମଧ୍ୟରେ ଏହି ରୋଗରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଥିବା ବେଳେ ଏହା ହଇଜା ଯୋଗୁଁ ନୁହେଁ, ବରଂ ଭୋଜି ଖାଇ ଖାଦ୍ୟ ବିଷକ୍ରିୟା (Food Poisoning) ଯୋଗୁଁ ହୋଇଥିବା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ (CDMO) ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁଯାୟୀ, ପ୍ରଥମେ ଧରାକୋଟ ବ୍ଲକ ସାବା ପଞ୍ଚାୟତର ପଟାସାଳ ଗ୍ରାମର ସୁଶାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଖବର ପାଇ ସ୍ଥାନୀୟ ଡାକ୍ତରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଜଣାପଡ଼ିଥିଲା ଯେ, ଏକ ଦଶାହ କର୍ମ ଭୋଜି ଖାଇବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଏଥିସହ ଗ୍ରାମର ଆଉ ୬ ଜଣ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସେହିପରି ଆଜି ସାନଖେମୁଣ୍ଡି ବ୍ଲକ ପୁଡ଼ାମାରି ପଞ୍ଚାୟତ ଅଧୀନ ମାର୍ଥପୁର ଗ୍ରାମରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗ୍ରାମର ଆହୁରି କିଛି ଲୋକ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ଏବଂ ଜନସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ମାର୍ଥପୁରରେ ପହଞ୍ଚି ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଛି।

ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ମୁତାବକ, ଗତ ସେପ୍ଟେମ୍ବର ୨୬ ତାରିଖରେ ମାର୍ଥପୁର ଗ୍ରାମରେ ଏକ ଦଶାହ ଭୋଜିର ଆୟୋଜନ ହୋଇଥିଲା। ଏଥିରେ ଉଭୟ ଧରାକୋଟ ଓ ସାନଖେମୁଣ୍ଡି ବ୍ଲକର ବହୁ ଲୋକ ଯୋଗ ଦେଇଥିଲେ। ସେହି ଭୋଜି ଖାଇବା ଦ୍ୱାରା ଖାଦ୍ୟ ବିଷକ୍ରିୟା ହୋଇ ଏପରି ଅଘଟଣ ଘଟିଛି। ଘଟଣାସ୍ଥଳରେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଟିମ୍ ମୁତୟନ ରହି ସ୍ଥିତି ଉପରେ ନଜର ରଖିବା ସହ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।

ତେବେ ଏହା କେବଳ ଖାଦ୍ୟ ବିଷକ୍ରିୟା ନା ସତରେ ଅଞ୍ଚଳରେ ହଇଜା ବ୍ୟାପିଛି, ତାହା ପରୀକ୍ଷାଗାର ରିପୋର୍ଟ ଏବଂ ତଦନ୍ତକାରୀ ଦଳର ଚୂଡ଼ାନ୍ତ ତଥ୍ୟ ଆସିବା ପରେ ହିଁ ସ୍ପଷ୍ଟ ହେବ।

ad-week
Leave A Reply

Your email address will not be published.