ସାଇନ୍‌ ବୋର୍ଡରେ ସୀମିତ ଉପଖଣ୍ଡ ଚିକିତ୍ସାଳୟ, ବିଜ୍ଞ ଡାକ୍ତର ଅଭାବରେ ହାହାକାର ସ୍ୱାସ୍ଥ୍ୟ ସେବା…

newyr25


ଉମରକୋଟ, (୧୧/୦୧/୨୦୨୬): ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଆଜି କେବଳ ନାମକୁ ମାତ୍ର “ଉପଖଣ୍ଡ ଚିକିତ୍ସାଳୟ” ଭାବେ ପରିଚିତ। ବାସ୍ତବରେ ଏହା ସାଧାରଣ ପ୍ରାଥମିକ ଚିକିତ୍ସା ସେବାରେ ମଧ୍ୟ ସଂଘର୍ଷ କରୁଛି। ବିଶେଷଜ୍ଞ ଡାକ୍ତରଙ୍କ ଅଭାବ, ରାତ୍ରିକାଳୀନ ସେବାର ଅନୁପସ୍ଥିତି ଓ ଆପାତକାଳୀନ ଚିକିତ୍ସା ସୁବିଧା ନଥିବାରୁ ରୋଗୀମାନେ ଜୀବନ–ମୃତ୍ୟୁର ଝୁଲନାରେ ଝୁଲୁଛନ୍ତି।
କୋଟି କୋଟି ଟଙ୍କା ଖର୍ଚ୍ଚରେ ସ୍ଥାପିତ ଅତ୍ୟାଧୁନିକ ପରୀକ୍ଷା ଯନ୍ତ୍ରପାତି ଉପଖଣ୍ଡ ଚିକିତ୍ସାଳୟରେ ଥିଲେ ମଧ୍ୟ ସେଗୁଡ଼ିକ ଦୀର୍ଘଦିନ ଧରି ବ୍ୟବହାର ହେଉନାହିଁ। ଲ୍ୟାବ୍‌, ରେଡିଓଲୋଜି ଓ ଡାୟାଗ୍ନୋଷ୍ଟିକ୍ ବିଭାଗରେ ପ୍ରଶିକ୍ଷିତ ବିଶେଷଜ୍ଞ ଡାକ୍ତର ଓ ଟେକ୍ନିସିଆନ୍ ନଥିବାରୁ ଅନେକ ଆବଶ୍ୟକୀୟ ପରୀକ୍ଷା ସଂପନ୍ନ କରାଯାଇପାରୁନାହିଁ। ଫଳରେ ରୋଗୀମାନଙ୍କୁ ବାଧ୍ୟ ହୋଇ ବେସରକାରୀ ଲ୍ୟାବକୁ ଯିବାକୁ ପଡ଼ୁଛି, ଯାହା ଗରିବ ଓ ମଧ୍ୟବର୍ଗୀୟ ପରିବାର ପାଇଁ ଅର୍ଥିକ ଭାର ସୃଷ୍ଟି କରୁଛି।
ସ୍ଥାୟୀ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ନଥିବାରୁ ଗର୍ଭବତୀ ମହିଳାମାନଙ୍କ ଚିକିତ୍ସା ଡେପୁଟେସନ୍‌ ଡାକ୍ତରଙ୍କ ଉପରେ ନିର୍ଭର କରୁଛି। ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ସୁବିଧା ଉପଲବ୍ଧ ନଥିବାରୁ ଗର୍ଭବତୀଙ୍କୁ ତୁରନ୍ତ ବାହାର ଚିକିତ୍ସାଳୟକୁ ରେଫର୍ କରାଯାଉଛି। ଏହା ସମୟରେ ରୋଗୀ ଓ ସମ୍ପର୍କୀୟମାନେ ଯାତାୟାତ, ଅର୍ଥିକ ଓ ମାନସିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଅସ୍ଥିଶଲ୍ୟ, ଭେଷଜ, ଶଳ୍ୟଚିକିତ୍ସା ଓ ଅନ୍ୟାନ୍ୟ ଆବଶ୍ୟକ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ଉପଖଣ୍ଡ ଚିକିତ୍ସାଳୟରେ ଅପରେସନ୍‌ ସୁବିଧା ସମ୍ପୂର୍ଣ୍ଣ ଭାବେ ବନ୍ଦ ଅଛି। ରାତ୍ରିକାଳୀନ ସେବା ଓ ଆପାତକାଳୀନ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ବେସରକାରୀ ହସ୍ପିଟାଲକୁ ରେଫର୍ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ଦାବୀ ଓ ଅଭିଯୋଗ ସତ୍ତ୍ୱେ ଡାକ୍ତର ନିଯୁକ୍ତି ନ ହେବା ସରକାରୀ ବ୍ୟବସ୍ଥାର ଅବହେଳାକୁ ସ୍ପଷ୍ଟ କରୁଛି। ଦୂରଦୂରାନ୍ତ ଅଞ୍ଚଳରୁ ଆସୁଥିବା ଗରିବ ଲୋକେ ଚିକିତ୍ସା ଖର୍ଚ୍ଚ ବହନ କରିପାରୁ ନଥିବାରୁ ଚିକିତ୍ସା ବିନା ଫେରୁଛନ୍ତି, ଯାହାର ପରିଣାମ ସ୍ୱରୂପ କେତେକ ମାମଲାରେ ମୃତ୍ୟୁ ଘଟୁଥିବା ଅଭିଯୋଗ ମଧ୍ୟ ହେଉଛି।
ଏହି ଅବସ୍ଥାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସ୍ଥାୟୀ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଅତ୍ୟାଧୁନିକ ଯନ୍ତ୍ରପାତିକୁ କାର୍ଯ୍ୟକ୍ଷମ କରିବା ଓ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଚାଲୁ କରିବାକୁ ପ୍ରଶାସନଙ୍କୁ ସ୍ଥାନୀୟ ଲୋକେ ଦୃଢ଼ ଦାବୀ କରିଛନ୍ତି।
(ଉମରକୋଟରୁ — ରସିକ ସରକାର, ନିସର୍ତ ନ୍ୟୁଜ)

Leave A Reply

Your email address will not be published.