ଜଳ ସଂରକ୍ଷଣ, ସ୍ବଚ୍ଛତା ଓ ପରିବେଶ ସୁରକ୍ଷା ଦିଗରେ ଗାନ୍ଧିଜୀ ଗୁରୁତ୍ବ ଦେଉଥିଲେ : ଛତ୍ରପୁର ବିଧାୟକ
ନିଜର ଦାୟିତ୍ବ ପ୍ରତି ସମସ୍ତେ ସଚେତନ ହୋଇ କାର୍ଯ୍ୟ କଲେ ଦେଶ ଉନ୍ନତି ପଥରେ ଆଗେଇ ଚାଲିବ: ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର : ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ୧୫୭ ତମ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୨୨ ତମ ଜୟନ୍ତୀ ପୋଲିସ୍ ପ୍ୟାରେଡ ପଡିଆ ନିକଟସ୍ଥ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଗଞ୍ଜାମ ଏବଂ ପୌର ପରିଷଦ ଛତ୍ରପୁର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି ।
ଛତ୍ରପୁର ବିଧାୟକ ଛତ୍ରପୁର କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ପୌର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ଜି. ପାପା ରାଓ, ଗଞ୍ଜାମ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ୍ ବି ସି, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଆଇ.ପି.ଏସ୍. ପ୍ରୋବାସନର ଏସ ସରଣ୍ଯା, ଜଣ ପ୍ରତିନିଧି ଓ ଅନ୍ୟାନ୍ୟ ଅତିଥିମାନେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ମୁଖ୍ଯ ଅତିଥି ବିଧାୟକ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଜଳ ସଂରକ୍ଷଣ, ସ୍ବଚ୍ଛତା ଓ ପରିବେଶ ସୁରକ୍ଷା ଦିଗରେ ଗାନ୍ଧିଜୀ ଗୁରୁତ୍ବ ଦେଉଥିଲେ । ଗାଁ କୁ ଗାଁ, ସହରକୁ ସହର ଯୋଡି ବିକଶିତ ରାଜ୍ୟ ବିକଶିତ ଭାରତ ସ୍ବପ୍ନ ସେ ଦେଖିଥିଲେ । ସେହି ସ୍ବପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ।
ଜିଲ୍ଲାପାଳ ଶ୍ରୀ ଓ୍ବାସନ୍ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ଯୋଗୁଁ ଆମେ ଆଜି ସ୍ବାଧୀନ ଭାରତରେ ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରୁଛେ । ନିଜର ଦାୟିତ୍ବ ପ୍ରତି ସମସ୍ତେ ସଚେତନ ହୋଇ କାର୍ଯ୍ୟ କଲେ ଦେଶ ଉନ୍ନତି ପଥରେ ଆଗେଇ ଚାଲିବ । ସ୍ୱଚ୍ଛ ଓ ସମୃଦ୍ଧ ଗଞ୍ଜାମ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସମ୍ମାନିତ ଅତିଥିମାନେ ଗାନ୍ଧିଜୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କହିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ସ୍ବାଗତ ଭାଷଣ ଓ ଛତ୍ରପୁର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ରଘୁପତି ରାଘବ ରାଜା ରାମ୍ ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା । ଗଣେଶ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଛତ୍ରପୁର କଳା ବିକାଶ କେନ୍ଦ୍ରର କଳାକାର ମାନଙ୍କ ଦ୍ବାରା ବୈଷ୍ଣବ ଜନତେ ସଙ୍ଗୀତ ଓ ଭଜନ ପରିବେଷଣ କରାଯାଇଥିଲା । ସର୍ବଧର୍ମ ପ୍ରାର୍ଥନାରେ ପଣ୍ଡିତ ନିରଞ୍ଜନ ତ୍ରିପାଠୀ ପବିତ୍ର ଶ୍ରୀମଦ୍ଭଗବତ ଗୀତା, ମହମ୍ମଦ ଏହେଶାନ୍ ରାଜାକ ପବିତ୍ର କୋରାନ୍ ଓ ରେଭେଣ୍ଡର ସନ୍ତୋଷ ନାୟକଙ୍କ ଦ୍ବାରା ପବିତ୍ର ବାଇବେଲ ପାଠ କରାଯାଇଥିଲା ।
କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ସାମ୍ବାଦିକ, ସମାଜ ସେବୀ, ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
