ସ୍କୁଲ-କଲେଜ ସମୟରେ ଘରୋଇ କମ୍ପାନୀର ମାଲବାହୀ ଟ୍ରେନ୍ ଚଳାଚଳକୁ ବିରୋଧ: ଜିଲ୍ଲାପାଳଙ୍କୁ ଫେରାଦ ହେଲେ ପୂର୍ବତନ କାଉନସିଲର
ବୀରମିତ୍ରପୁର, : ସହରର ମଧ୍ୟଭାଗରେ ବେଆଇନ ରେଳ ଧାରଣା ନିର୍ମାଣ ତଥା ସ୍କୁଲ-କଲେଜ ସମୟରେ ମାଲବାହୀ ଟ୍ରେନ୍ର ସଣ୍ଟିଂ (Shunting) କାର୍ଯ୍ୟ ଯୋଗୁଁ ରାଜଗାଙ୍ଗପୁର ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ଶେଷରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସାମାଜିକ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ କାଉନସିଲର ରମେଶ ସୋନି। ସେ ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ପତ୍ରରେ ଶ୍ରୀ ସୋନି ଦର୍ଶାଇଛନ୍ତି ଯେ, ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ ଏବଂ ଆର୍ଏଚ୍ଆଇ ମ୍ୟାଗ୍ନେସିଟା ରିଫ୍ରାକ୍ଟୋରିଜ୍ କମ୍ପାନୀ ନିଜର ଉତ୍ପାଦିତ ସାମଗ୍ରୀ ପରିବହନ ପାଇଁ ବିଜୁ ପଟ୍ଟନାୟକ ଛକରୁ ଆଇଟି କଲୋନୀ ମଧ୍ୟରେ ତଥା ସୁଭାଷ ଛକ ଓ ମିଲନ ଟକିଜ୍ ମଝିରେ ବ୍ୟକ୍ତିଗତ ସ୍ୱାର୍ଥରେ ବେଆଇନ ଭାବେ ରେଳ ଧାରଣା ପକାଇଛନ୍ତି। ଫଳରେ ସେଠାରେ ବାରମ୍ବାର ଅପ୍ରୀତିକର ପରିସ୍ଥିତି ଏବଂ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି।
ଉଲ୍ଲେଖଯୋଗ୍ୟ ଯେ, ମାଲବାହୀ ରେଳ ରେକ୍ ସଣ୍ଟିଂ କରିବା ପାଇଁ ଉକ୍ତ କମ୍ପାନୀଗୁଡ଼ିକର ନିଜସ୍ୱ ୟାର୍ଡ ରହିଛି ଏବଂ ପୂର୍ବରୁ ସେମାନେ ନିଜ ପରିସର ଭିତରେ ହିଁ ସଣ୍ଟିଂ କାର୍ଯ୍ୟ ସାରୁଥିଲେ। ମାତ୍ର ବିଗତ ଗୋଟିଏ ବର୍ଷ ହେବ ନିଜ ୟାର୍ଡ ବାହାରକୁ ଆଣି ବଗିଚାପଡ଼ା ରେଳ ଫାଟକ ପର୍ଯ୍ୟନ୍ତ ବାରମ୍ବାର ରେକ୍ ଗୁଡ଼ିକର ସଣ୍ଟିଂ କରାଯାଉଛି। ଫଳରେ ରେଳ ଫାଟକ ନିକଟରେ ଥିବା ଡାକ୍ତରଖାନାକୁ ଯାଉଥିବା ରୋଗୀ, ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଏବଂ ସ୍କୁଲ-କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ନିୟମିତ ଶାରୀରିକ ଓ ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ଯିବାଆସିବା ସମୟରେ ଘଣ୍ଟା ଘଣ୍ଟା ଧରି ଫାଟକ ପଡ଼ି ରହୁଥିବାରୁ ସେମାନେ ଠିକ୍ ସମୟରେ ସ୍କୁଲରେ ପହଞ୍ଚି ପାରୁନାହାନ୍ତି। ବିଳମ୍ବ ଯୋଗୁଁ ଅନେକ ସମୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିୟମର ଦ୍ୱାହି ଦେଇ ପିଲାମାନଙ୍କୁ ଘରକୁ ଫେରାଇ ଦେଉଛନ୍ତି, ଯାହା ସେମାନଙ୍କ ପାଠପଢ଼ାରେ ଗମ୍ଭୀର ବ୍ୟାଘାତ ସୃଷ୍ଟି କରୁଛି।
ଏହି ପରିପ୍ରେକ୍ଷୀରେ ଶ୍ରୀ ସୋନି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ି ଦାବି କରିଛନ୍ତି ଯେ, ଛାତ୍ରଛାତ୍ରୀ ତଥା ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ ପିକ୍ ଆୱାର (Peak Hours) ଯଥା— ସକାଳ ୭ଟାରୁ ୮ଟା, ପୂର୍ବାହ୍ନ ୯ଟାରୁ ୧୦ଟା, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୧ଟା ୩୦ ଏବଂ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଯେପରି କମ୍ପାନୀର ମାଲବାହୀ ଟ୍ରେନ୍ ପାଚେରୀ ବାହାରକୁ ନ ଆସେ, ସେଥିପାଇଁ ପ୍ରଶାସନ ତୁରନ୍ତ ଆବଶ୍ୟକ କଟକଣା ଓ ପଦକ୍ଷେପ ଗ୍ରହଣ କରୁ।
