ପ୍ରକୃତି ପ୍ରେମରୁ ଜନଆନ୍ଦୋଳନ: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷାରେ ଦିଗାମ୍ବର ଉପାଧ୍ୟାୟଙ୍କ ଅନନ୍ୟ ଯାତ୍ରା…


ତିନି ଦଶନ୍ଧିରୁ ଅଧିକ ସମୟର ନିରନ୍ତର ସାଧନାକୁ ସରକାରୀ ସ୍ୱୀକୃତି; ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମ୍ମାନିତ
ରାଉରକେଲା/ସୁନ୍ଦରଗଡ଼ : ପ୍ରକୃତି ସହ ମଣିଷର ସମ୍ପର୍କକୁ ଅଧିକ ନିବିଡ଼ କରିବା, ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ସାଧାରଣ ଲୋକଙ୍କୁ ସାମିଲ କରିବା ଏବଂ ପରିବେଶ ସଂରକ୍ଷଣ ସହ ଗ୍ରାମୀଣ ଜୀବନଜୀବିକାର ବିକାଶକୁ ଆଗେଇ ନେବା ଦିଗରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଥିବା ପରିବେଶବିତ୍ ଦିଗାମ୍ବର ଉପାଧ୍ୟାୟଙ୍କୁ ମିଳିଛି ଆଉ ଏକ ସମ୍ମାନ। ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଉପଖଣ୍ଡସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ତାଙ୍କର ଦୀର୍ଘଦିନର ନିରନ୍ତର ପ୍ରୟାସ ସହ ପରିବେଶ ସୁରକ୍ଷାରେ ସାମିଲ ହୋଇଥିବା ଗ୍ରାମୀଣ ଜନସମୁଦାୟଙ୍କ ସମ୍ମିଳିତ ଉଦ୍ୟମକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛି।
ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ସର୍କଲସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ରାଉରକେଲା ଉପମହାନିରୀକ୍ଷକ ବ୍ରିଜେଶ ରାୟ ତାଙ୍କୁ ମାନପତ୍ର ସହ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ରାଉରକେଲା ବିଧାୟକ ଶାରଦା ପ୍ରସନ୍ନ ନାୟକ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି. ରାମାସ୍ୱାମୀଙ୍କ ସମେତ ରାଉରକେଲା, ସୁନ୍ଦରଗଡ଼, ବଣାଇ, କେନ୍ଦୁଝର ଓ ଦେବଗଡ଼ ବନଖଣ୍ଡର ବନଖଣ୍ଡ ଅଧିକାରୀ, ବନ ବିଭାଗର କର୍ମଚାରୀ ଏବଂ ବହୁ ପରିବେଶପ୍ରେମୀ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍ ଅନ୍ତର୍ଗତ ଝୁରିମାଲ ଗ୍ରାମର ଶ୍ରୀ ଉପାଧ୍ୟାୟ ପିଲାଟି ଦିନରୁ ପ୍ରକୃତି ଓ ଜଙ୍ଗଲ ପ୍ରତି ଗଭୀର ଅନୁରାଗ ରଖିଆସିଛନ୍ତି। ସମାଜର ଅବହେଳିତ ଓ ବଞ୍ଚିତ ପରିବାରଙ୍କ ଜୀବନଜୀବିକାର ଉନ୍ନତି ସହ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ସେ ନିଜ କାର୍ଯ୍ୟର ପ୍ରମୁଖ ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି।
ସୁନ୍ଦରଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସେବକ’ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଭାବେ ସେ ଦୀର୍ଘବର୍ଷ ଧରି ଗ୍ରାମୀଣ ବିକାଶ ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। ବର୍ତ୍ତମାନ ଅନୁଷ୍ଠାନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଭାବେ ସେ ଆଦିବାସୀ ଓ ଅନ୍ୟାନ୍ୟ ଗ୍ରାମୀଣ ପରିବାରଙ୍କ ଜୀବନଜୀବିକାର ବିକାଶ, ପ୍ରାକୃତିକ ସମ୍ପଦ ପରିଚାଳନା, ଜଙ୍ଗଲ ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ମୁକାବିଲା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି।
ତାଙ୍କ ମତରେ, ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା କେବଳ ସରକାର କିମ୍ବା ବନ ବିଭାଗର ଦାୟିତ୍ୱ ନୁହେଁ। ଏଥିପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ ଗ୍ରାମବାସୀ, ମହିଳା, ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଭାଗିତା ଆବଶ୍ୟକ। ଏହି ଚିନ୍ତାଧାରାକୁ ଆଧାର କରି ସେ ଜନସହଭାଗିତାଭିତ୍ତିକ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହିତ କରିଆସୁଛନ୍ତି।
ପରିବେଶ ସୁରକ୍ଷାକୁ ପ୍ରତ୍ୟେକ ପରିବାରର ଦାୟିତ୍ୱରେ ପରିଣତ କରିବା ଲକ୍ଷ୍ୟରେ ତାଙ୍କ ନେତୃତ୍ୱରେ ଓ ‘ସେବକ’ର ସହଯୋଗରେ ଆରମ୍ଭ ହୋଇଥିଲା ‘ଗ୍ରୀନ୍ ମେମୋରୀ କ୍ୟାମ୍ପେନ୍’। ଏହି ଅଭିଯାନ ମାଧ୍ୟମରେ ଜନ୍ମଦିନ, ବିବାହ ବାର୍ଷିକୀ ଓ ପ୍ରିୟଜନଙ୍କ ସ୍ମୃତିରେ ବୃକ୍ଷରୋପଣ କରିବାର ଏକ ନୂତନ ପରମ୍ପରା ସୃଷ୍ଟି ହୋଇଛି।
ହଜାର ହଜାର ପରିବାର ଏହି ଅଭିଯାନରେ ସାମିଲ ହୋଇ ୪୨ ହଜାରରୁ ଅଧିକ ବୃକ୍ଷରୋପଣ କରିଛନ୍ତି। ବୃକ୍ଷରୋପଣକୁ କେବଳ ଏକ ଦିନର କାର୍ଯ୍ୟକ୍ରମ ଭାବେ ସୀମିତ ନ ରଖି ଗଛର ଦୀର୍ଘକାଳୀନ ଯତ୍ନ ଓ ସୁରକ୍ଷା ପ୍ରତି ପରିବାରଗୁଡ଼ିକୁ ଉତ୍ସାହିତ କରିବା ଏହି ଅଭିଯାନର ବିଶେଷତ୍ୱ।
ଏହା ମାଧ୍ୟମରେ ପରିବାରର ସୁଖଦ ସ୍ମୃତି ଓ ପ୍ରିୟଜନଙ୍କ ପ୍ରତି ଭଲପାଇବାକୁ ପ୍ରକୃତି ସୁରକ୍ଷା ସହ ଯୋଡ଼ିବାର ଏକ ନିଆରା ପ୍ରୟାସ କରାଯାଇଛି।
ଭାରତୀୟ ସଂସ୍କୃତି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସମନ୍ୱୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୨୦ ମସିହାରୁ ଆରମ୍ଭ ହୋଇଥିଲା ‘ବୃକ୍ଷ ରକ୍ଷା ବନ୍ଧନ’ ଅଭିଯାନ। ଏହା ମାଧ୍ୟମରେ ୩ ହଜାରରୁ ଅଧିକ ମହିଳା ବୃକ୍ଷକୁ ରାକ୍ଷୀ ବାନ୍ଧି ତାହାର ସୁରକ୍ଷା ପାଇଁ ସଂକଳ୍ପ ନେଇଛନ୍ତି।
ଏହି ଅଭିଯାନ ମହିଳାମାନଙ୍କୁ ବୃକ୍ଷ ସଂରକ୍ଷଣରେ ସକ୍ରିୟ ଭାବେ ସାମିଲ କରିବା ସହ ଗ୍ରାମାଞ୍ଚଳରେ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିଛି। ଗଛକୁ ପରିବାରର ଜଣେ ସଦସ୍ୟ ଭଳି ଯତ୍ନ ନେବାର ବାର୍ତ୍ତା ଏହି ଅଭିଯାନ ମାଧ୍ୟମରେ ପ୍ରସାରିତ ହେଉଛି।
ଜୈବବିବିଧତା ସଂରକ୍ଷଣ ଦିଗରେ ଶ୍ରୀ ଉପାଧ୍ୟାୟଙ୍କ ଆଉ ଏକ ଉଲ୍ଲେଖନୀୟ ପ୍ରୟାସ ହେଉଛି ଶ୍ରମଦାନ ମାଧ୍ୟମରେ ପ୍ରତିଷ୍ଠିତ ‘ସଞ୍ଜୀବନୀ ବାଟିକା’। ଏଠାରେ ଶହେରୁ ଅଧିକ ପ୍ରଜାତିର ଔଷଧୀୟ ଉଦ୍ଭିଦ ସଂରକ୍ଷଣ କରାଯାଉଛି।
ଏହା ସହିତ ସିଡ୍‌ବଲ୍ ଅଭିଯାନ ମାଧ୍ୟମରେ ସବୁଜ ବନାନୀ ସୃଷ୍ଟି, ଗ୍ରୀଷ୍ମ ଋତୁରେ ପକ୍ଷୀଙ୍କ ପାଇଁ ଜଳପାତ୍ର ସ୍ଥାପନ ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରକୃତି ଓ ଜୀବଜଗତର ସୁରକ୍ଷା ପାଇଁ ସେ ନିରନ୍ତର ଉଦ୍ୟମ କରୁଛନ୍ତି।
ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଙ୍ଗଲ, ବନ୍ୟପ୍ରାଣୀ ଓ ଜୈବବିବିଧତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରି ଆଗାମୀ ପିଢ଼ିକୁ ପରିବେଶ ସୁରକ୍ଷାରେ ସାମିଲ କରିବା ଉପରେ ସେ ଗୁରୁତ୍ୱ ଦେଉଛନ୍ତି।
ପରିବେଶ ସଂରକ୍ଷଣ ଓ ସାମାଜିକ ବିକାଶ କ୍ଷେତ୍ରରେ ଅବଦାନ ପାଇଁ ଶ୍ରୀ ଉପାଧ୍ୟାୟଙ୍କୁ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଦୁଇଥର ‘ପ୍ରକୃତି ବନ୍ଧୁ ପୁରସ୍କାର’ ପ୍ରଦାନ କରାଯାଇଛି।
ଏହା ବ୍ୟତୀତ ସେ ‘ସର୍ବଶ୍ରେଷ୍ଠ ଟିମ୍ ଲିଡର’, ‘ଗ୍ରୀନ୍ ଆମ୍ବାସାଡର’, ‘ସୁନ୍ଦରଗଡ଼ ଗୌରବ ସମ୍ମାନ’ ଓ ‘ପରିବେଶ ଯୋଦ୍ଧା ସମ୍ମାନ’ ଭଳି ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଏହି ସମ୍ମାନ ଗ୍ରହଣ କରିବା ଅବସରରେ ଶ୍ରୀ ଉପାଧ୍ୟାୟ କହିଛନ୍ତି, “ଜୈବବିବିଧତା ଓ ବନ୍ୟପ୍ରାଣୀ ଆମ ପ୍ରକୃତିର ଅମୂଲ୍ୟ ସମ୍ପଦ। ଜଙ୍ଗଲ, ବନ୍ୟପ୍ରାଣୀ, ପକ୍ଷୀ ଓ ଉଦ୍ଭିଦ ପରସ୍ପର ଉପରେ ନିର୍ଭରଶୀଳ ଏବଂ ପ୍ରକୃତିର ସନ୍ତୁଳନ ରକ୍ଷାରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସଂରକ୍ଷଣ, ଜଙ୍ଗଲ ଅବକ୍ଷୟ ରୋକିବା ଓ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଜରୁରୀ। ଏହି ସମ୍ମାନ ମୋତେ ଆଗାମୀ ଦିନରେ ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଛି। ଆସନ୍ତୁ, ଗ୍ରାମବାସୀ, ଯୁବପିଢ଼ି, ବନ ସୁରକ୍ଷା ସମିତି ଓ ବନ ବିଭାଗର ମିଳିତ ସହଯୋଗରେ ଜୈବବିବିଧତା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଏକ ଜନଆନ୍ଦୋଳନରେ ପରିଣତ କରି ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସମୃଦ୍ଧ ପ୍ରକୃତି ସୁନିଶ୍ଚିତ କରିବା।”
ଶ୍ରୀ ଉପାଧ୍ୟାୟଙ୍କ ଏହି ସମ୍ମାନ ପ୍ରାପ୍ତି ପରେ ‘ସେବକ’ର ସହକର୍ମୀ, ପରିବେଶପ୍ରେମୀ, ସାମାଜିକ କର୍ମୀ, ବନ ସୁରକ୍ଷା ସମିତି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।

ad-week
Leave A Reply

Your email address will not be published.