କାନାଡ଼ା : କାନାଡ଼ାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । କାନାଡ଼ାସ୍ଥିତ ଭାରତୀୟ ଦୂତାବାସ (କନ୍ସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ, ଭାଙ୍କୁଭର) ଦ୍ୱାରା ଦିଆଯାଇଛି । ଉଭୟ ଛାତ୍ର କାନାଡ଼ାରେ ନିଜର କମର୍ସିଆଲ୍ ପାଇଲଟ୍ ବା ଏଭିଏସନ୍ ଟ୍ରେନିଂ ଅନ୍ତର୍ଗତ ଉଡ଼ାଣର ଅଭ୍ୟାସ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ମୃତ ଛାତ୍ର ତାମିଲନାଡୁ ଏବଂ ପଡୁଚେରୀର ବୋଲି ଜଣାପଡିଛି ।
ବିମାନ ଦୁର୍ଘଟଣାରେ ଜୀବନ ହରାଇଥିବା ଉଭୟ ଛାତ୍ର ପାଇଲଟ୍ ହେବା ପାଇଁ ପ୍ରଶିକ୍ଷଣ ନେଉଥିଲେ । ମୃତକଙ୍କ ମଧ୍ୟରେ ଜଣେ ତାମିଲନାଡ଼ୁର ନିବାସୀ ମନୋଜ ଶିବକୁମାର ଓ ଅନ୍ୟଜଣେ ଶ୍ରୀଚରଣ ତିରୁଜ୍ଞାନାସମ୍ବନ୍ତମ୍, ପୁଡୁଚେରୀର ନିବାସୀ । ଘଟଣା ପରେ ଭାଙ୍କୁଭର ସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଗଭୀର ଦୁଃଖ ପ୍ରକାଶ କରି ନିଜର ସମବେଦନା ସେୟାର କରିଛନ୍ତି ।
ଭାଙ୍କୁଭରସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ, ତାମିଲନାଡ଼ୁର ମନୋଜ ଶିବକୁମାର ଏବଂ ପୁଡୁଚେରୀର ଶ୍ରୀଚରଣ ତିରୁଜ୍ଞାନାସମ୍ବନ୍ତମଙ୍କ ଅସମୟ ଏବଂ ଦୁଃଖଦ ନିଧନରେ ଗଭୀର ସମବେଦନା ଜ୍ଞାପନ କରୁଛି । ଏହି କଠିନ ସମୟରେ ଆମର ସମସ୍ତ ସମବେଦନା ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହିତ ରହିଛି ।
ଦୂତାବାସ ଅଧିକାରୀଙ୍କ ଅନୁଯାୟୀ, ଉଭୟ ମୃତ ଛାତ୍ରଙ୍କ ପାର୍ଥିବ ଶରୀରକୁ ସମ୍ମାନଜନକ ଭାବେ ଭାରତରେ ସେମାନଙ୍କ ଗୃହରାଜ୍ୟକୁ ଫେରାଇ ଆଣିବାର ପ୍ରକ୍ରିୟାରେ ପରିଜନମାନଙ୍କୁ ସମସ୍ତ ସମ୍ଭବ କନସୁଲାର୍ ଏବଂ ଜରୁରୀ ସହାୟତା ପ୍ରଦାନ କରାଯାଉଛି ।
