
ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ ହୋଇଥିବା ସୂଚନା ରହିଛି । ଆଳତି ସରିବା ପରେ ପଲଙ୍କ ବିଜେ ହୋଇଛି । ବଡ଼ସିଂହାର ଭୋଗ ପରେ ପରେ ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା କଥା । ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା ପରେ ଯେଉଁ ଆଳତି ହେବା କଥା ତାହା ପଲଙ୍କ ବିଜେ ପୂର୍ବରୁ ହୋଇଛି । ପଲଙ୍କ ବିଜେ ନୀତିକୁ ଜାଣିଜାଣି ବିଳମ୍ବ କରାଯାଉଥିବା ଅନୁଭବ କରିବା ପରେ ପୁଷ୍ପାଳକ ସେବାୟତ ଆଉ ଅପେକ୍ଷା ନ କରି ଆଳତି କରିଦେଇଥିଲେ ।
ଏଭଳି ଏକ ଭୟଙ୍କର ତ୍ରୁଟିକୁ ନେଇ ବରିଷ୍ଠ ସେବାୟତ ଓ ଗଣନାକାରୀମାନେ ନାନା ଆଶଙ୍କା କରିଛନ୍ତି । ଏଭଳି ବିଭ୍ରାଟ ହେଲେ କେବଳ ରାଜ୍ୟ ନୁହେଁ, ବରଂ ସମଗ୍ର ଦେଶ ପ୍ରତି ବିପଦ ମାଡ଼ି ଆସିବ ବୋଲି ସେମାନେ ଆକଳନ କରିଛନ୍ତି ।
ତେବେ ପଲଙ୍କଗୁଡ଼ିକ ଏବେ ଅସ୍ଥାୟୀ ଘରେ ରଖାଯାଇଥିବାବେଳେ, ଚାଙ୍ଗଡ଼ା ମେକାପ ସେବାୟତ ଏହି ପଲଙ୍କ ନେଇ ଆସିବା କଥା । ଅସ୍ଥାୟୀ ଘରୁ ପଲଙ୍କ ଆସିବାକୁ ପୁଷ୍ପାଳକ ସେବାୟତମାନେ ଅପେକ୍ଷା କରିଥିଲେ । କିନ୍ତୁ ନିର୍ଦ୍ଧାରିତ ସମୟ ଭିତରେ ସେମାନେ ନଆସିବାରୁ ଅପେକ୍ଷା କରି କରି ପୁଷ୍ପାଳକ ସେବାୟତମାନେ ପଲଙ୍କ ବିଜେ ନହେଉଣୁ ଆଳତି ଆରମ୍ଭ କରିଦେଇଥିଲେ । ଆଳତି ପରେ ପଲଙ୍କ ବିଜେ ହୋଇଥିଲା । ଯାହାକୁ ନେଇ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ହେବା ସହ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା ।
ତେବେ କେହି ଭିଆଇପି ଦର୍ଶନ କରିବାକୁ ଆସିବାକୁ ଥିବାରୁ ବରିଷ୍ଠ ଅଧିକାରୀମାନେ ସେବାୟତଙ୍କୁ କହି ଏହି ପ୍ରକ୍ରିୟାକୁ ବିଳମ୍ୱିତ କରାଉଥିବା ଶୁଣିବାକୁ ମିଳିଛି । ଏହି ସମୟରେ ଜିଲ୍ଲା ପ୍ରଶାସନର ଅଧିକାଂଶ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବା କୁହାଯାଉଛି ।