
ନୂଆଦିଲ୍ଲୀ : ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥୀ ଗିରଫ। ବିଳମ୍ୱିତ ରାତିରେ ତାଙ୍କୁ ଆଗ୍ରାର ଏକ ହୋଟେଲରୁ ଦିଲ୍ଲୀ ପୋଲିସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଏବଂ ଜାଲିଆତି ଅଭିଯୋଗ ରହିଥିବା ସୂଚନା ମିଳିଛି । EWS ସ୍କଲାରସିପରେ PGDM କରାଇବାକୁ କହି ଛାତ୍ରୀଙ୍କୁ ଶୋଷଣ କରୁଥିଲା । ଏହି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରି ଆଗ୍ରାରୁ ଦିଲ୍ଲୀରେ ପହଞ୍ଚିଛି । ଆଜି ତାଙ୍କୁ କୋର୍ଟରେ ହାଜର କରିବ ଦିଲ୍ଲୀ ପୋଲିସ ।
ସୂଚନାନୁଯାୟୀ, ପୂର୍ବରୁ ଦିଲ୍ଲୀର ପଟିଆଲା ହାଇକୋର୍ଟ ସ୍ୱାମୀ ଚୈତନ୍ୟାନନ୍ଦଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଏହି ସମୟରେ ଦିଲ୍ଲୀ ପୋଲିସ ବାବା ଚୈତନ୍ୟାନନ୍ଦଙ୍କ ୮ କୋଟି ଟଙ୍କା ଜବତ କରିଛି । ଏହିଭଳି ଭାବେ ବାବା ୧୮ଟି ବ୍ୟାଙ୍କ୍ ଖାତା ଏବଂ ୨୮ଟି ଏଫଡି ଜମା କରିଥିଲେ । ଯାହାକୁ ମଧ୍ୟ ପୋଲିସ୍ ଜବତ କରିଛି । ୨୦୧୬ ମସିହାରେ ଚୈତନ୍ୟାନନ୍ଦ ସରସ୍ୱତୀ ଦିଲ୍ଲୀର ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ରିସର୍ଚ୍ଚରେ ଛାତ୍ରୀମାନଙ୍କୁ ନିର୍ଯାତନା ଦେଉଥିଲେ । ଯାହାର ଅଭିଯୋଗ ୧୭ ଜଣ ଛାତ୍ରୀ ଆଣିଛନ୍ତି । ଏହି ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଏହାରି ମଧ୍ୟରେ ଛାତ୍ରୀ ଜଣଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ସେ ସମସ୍ତ କଥା କହିଥିଲେ । ଥରେ ସେ ତାଙ୍କ କବଳରେ ଫସି ରହି ଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଛାତ୍ରୀ ଜଣକ ତାଙ୍କର ବ୍ୟାଗ୍ ଏବଂ କାଗଜପତ୍ର ମଧ୍ୟ ଛାଡି ପଳାଇଥିଲେ । ହେଲେ ଚୈତନ୍ୟାନନ୍ଦଙ୍କ ଲୋକମାନେ ତାଙ୍କୁ ପିଛା କରିଥିଲେ ଏବଂ ତାଙ୍କ ଘରେ ପହଞ୍ଚିଥିଲେ ।
ଅନ୍ୟପଟେ ଚୈତନ୍ୟାନନ୍ଦଙ୍କ ବିରୋଧରେ ଏପର୍ଯ୍ୟନ୍ତ ୫ଟି ଏଫଆଇଆର ଦାୟର କରାଯାଇଛି । ଏହି ଏଫଆଇଆର ମଧ୍ୟରୁ ଦୁଇଟି ପୁରୁଣା । ସ୍ୱାମୀ ଚୈତନ୍ୟାନନ୍ଦଙ୍କ ବିରୋଧରେ ୧୭ ଜଣ ଝିଅଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି । ଯେଉଁଥିରେ ଝିଅମାନେ କହିଛନ୍ତି ଯେ, ସେ ସେମାନଙ୍କୁ ବ୍ଲାକମେଲିଂ କରିବା ସହ ଧମକ ମଧ୍ୟ ଦେଉଥିଲେ ବୋଲି ପ୍ରକାଶ ପାଇଛି ।