ପାକିସ୍ତାନ କ୍ବେଟା ସେନା ମୁଖ୍ୟାଳୟରେ ବିସ୍ଫୋରଣ, ୧୦ ମୃତ

youtube

ପାକିସ୍ତାନ : କ୍ୱେଟାରେ ଥିବା ପାକିସ୍ତାନୀ ସେନା ମୁଖ୍ୟାଳୟରେ ବଡ଼ ବିସ୍ଫୋରଣ ହୋଇଛି । ପୂର୍ବ କ୍ୱେଟାରେ ଫ୍ରଣ୍ଟିୟର୍ କର୍ପସ୍ ମୁଖ୍ୟାଳୟ ନିକଟରେ ବଡ଼ ବିସ୍ଫୋରଣ ହୋଇଛି । ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ବର୍ତ୍ତମାନର ପରିସ୍ଥିତି ଦେଖି ଅଧିକାରୀ ସହରରେ ଥିବା ସମସ୍ତ ହସପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

ବିସ୍ଫୋରଣ ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି । ବିସ୍ଫୋରଣ ପରେ ପ୍ରଚଣ୍ଡ ଶବ୍ଦ ସହିତ ନିଆଁ ଦେଖିବାକୁ ମିଳିଛି । ପୋଲିସ ଅଧିକାରୀ ବିସ୍ଫୋରଣର ଯାଞ୍ଚ କରୁଛନ୍ତି । ଘଟଣା ସ୍ଥଳର ଉଦ୍ଧାରକାରୀ ଦଳ ଓ ପୋଲିସ କର୍ମୀ ପହଞ୍ଚିଛନ୍ତି । ସମ୍ବେଦନଶୀଳ ଅଞ୍ଚଳ ଭାବରେ ବିବେଚିତ ମଡେଲ୍ ଟାଉନ୍ ଏବଂ ଆଖପାଖ ଅଞ୍ଚଳରେ ବିସ୍ଫୋରଣ ଶୁଣାଯାଇଥିଲା । ବିସ୍ଫୋରଣରେ ଆଖପାଖର ଘର ଏବଂ କୋଠାର ଝରକା ଭାଙ୍ଗି ଯାଇଥିଲା ।

ବେଲୁଚିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରୀ ବଖତ ମହମ୍ମଦ କକର ଓ ସ୍ୱାସ୍ଥ୍ୟ ସଚିବ ମୁଜିବ-ଉର-ରେହମାନ ସିଭିଲ୍ ହସ୍ପିଟାଲ୍ କ୍ୱେଟା, ବିଏମସି ହସ୍ପିଟାଲ୍ ଏବଂ ଟ୍ରମା ସେଣ୍ଟରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ସମସ୍ତ ପରାମର୍ଶଦାତା, ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ ଏବଂ ପାରାମେଡିକ୍ ଡ୍ୟୁଟିରେ ନିୟୋଜିତ ରହିଛନ୍ତି । ବିସ୍ଫୋରଣରେ ଆହତ ଏବଂ ମୃତକଙ୍କ ମୃତଦେହକୁ ସିଭିଲ୍ ହସ୍ପିଟାଲ୍ କ୍ୱେଟାକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣ ସ୍ଥଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ବିସ୍ଫୋରଣର ପ୍ରକୃତ କାରଣ ଅସ୍ପଷ୍ଟ ଏଯାଏଁ ଜଣାପଡିନାହିଁ ।

Leave A Reply

Your email address will not be published.