
ନୂଆଦିଲ୍ଲୀ : ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ବୁଧବାର ନିଜର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ ବୋଲି କୁହାଯାଇଛି। ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି ଦେଶର ୧ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଲାଭ ଦେବ। କିନ୍ତୁ ସରକାରଙ୍କ ଉପରେ ଏଥିପାଇଁ ୧୦ ହଜାର ୮୪ କୋଟି ଟଙ୍କାର ରାଜସ୍ୱ ବୋଝ ପଡ଼ିବ।
ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା(DA Hike) ୨% ବୃଦ୍ଧି କରିଥିଲେ। ଫଳରେ ମୂଳ ଦରମାରେ ଏହା ୫୩%ରୁ ୫୫%କୁ ବୃଦ୍ଧି ପାଇଥିଲା। ଏବେ ସରକାର ଆଉ ୩% ବୃଦ୍ଧି କରିଛନ୍ତି। ଅର୍ଥାତ ମହଙ୍ଗା ଭତ୍ତା ମୂଳଦରମାର ୫୮%ରେ ପହଞ୍ଚିଛି। ମହଙ୍ଗା ଭତ୍ତା ବୃଦ୍ଧି ଲାଗୁ ହେବା ପରେ କର୍ମଚାରୀମାନେ ଟେକ ହୋମ ଦରମାରେ ଏହାକୁ ପାଇପାରିବେ। ସେହିପରି ପେନସନଧାରୀଙ୍କ ଆକାଉଣ୍ଟକୁ ବର୍ଦ୍ଧିତ ଟଙ୍କା ଯିବ।
ଉଦାହରଣ ସ୍ୱରପୂ ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା ୫୦ ହଜାର ଓ ସେ ଏବେ ମହଙ୍ଗା ଭତ୍ତା ବାବଦରେ ୨୬,୫୦୦ ଟଙ୍କା ପାଉଛନ୍ତି, ତା’ହେଲେ ଆଗକୁ ସେ ଆହୁରି ଅଧିକ ଟଙ୍କା ଦରମା ଆକାରରେ ପାଇବେ। ଫଳରେ ଘରୋଇ ଖର୍ଚ୍ଚରେ ତାଙ୍କୁ ଆଶ୍ୱସ୍ତି ମିଳି ପାରିବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ଡିଏକୁ ସରକାର ବୃଦ୍ଧି କରିଛନ୍ତି।
ବର୍ଷକୁ ସାଧାରଣତଃ ସରକାର ମାର୍କେଟ ସ୍ଥିତିକୁ ଦେଖି ନିଜର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଥାଆନ୍ତି। ଏହିକ୍ରମରେ ଚଳିତ ବର୍ଷ ମାର୍ଚ୍ଚରେ ପ୍ରଥମେ ୨% ଓ ଏବେ ଅଉ ୩% ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ଏହାର ଅର୍ଥ ଚଳିତ ବର୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତା ମୋଟ ଉପରେ ୫% ବୃଦ୍ଧି ପାଇଛି। ଏହା ସେମାନଙ୍କ ଦୈନନ୍ଦିନ ଖର୍ଚ୍ଚରେ ବେଶ ସହାୟକ ହେବ।