ଓଡ଼ିଶାରେ କ୍ରାଇମ ଗ୍ରାଫ୍ ଉପରମୁହାଁ

youtube

ଭୁବନେଶ୍ବର : ଓଡ଼ିଶାର ଅପରାଧ ହାର ଉପରମୁହାଁ । ଜାତୀୟହାରଠୁ ଢ଼େର ଆଗରେ ରହିଛି ଓଡ଼ିଶାର ଅପରାଧ ହାର । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏନସିଆରବି ରିପୋର୍ଟ-୨୦୨୩ରେ ଓଡ଼ିଶାରେ ଅପରାଧର ଏଭଳି ଉଦବେଗଜନକ ଚିତ୍ର ପଦାକୁ ଆସିଛି । ଏହାସହିତ ଏନସିଆରବି ଦ୍ୱାରା ଜାରି ୧୯୮୧ରୁ ୨୦୨୩ ମସିହା ପର୍ଯ୍ୟନ୍ତ ଅପରାଧର ଏକ ତୁଳନାତ୍ମକ ରିପୋର୍ଟରେ ମଧ୍ୟ ଓଡ଼ିଶା କିଭଳି ୨୦୧୫ ମସିହା ପରଠୁ ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଛି ତା’ର ବିସ୍ତୃତ ତଥ୍ୟ ଉଜାଗର ହୋଇଛି । ବିଜେଡି ଶାସନ କାଳରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ବୃଦ୍ଧି ଓ ଦୋଷୀ ସାବ୍ୟସ୍ତ ହାରର ବିକଟାଳ ଚିତ୍ର ମଧ୍ୟ ଏନସିଆରବି ରିପୋର୍ଟରେ ଉଲ୍ଲେଖ ହୋଇଛି ।
ଏହି ରିପୋର୍ଟ ଅନୁସାରେ ମହିଳାଙ୍କ ବିରୋଧରେ ଅପରାଧରେ ଓଡ଼ିଶା(Odisha) ସମଗ୍ର ଦେଶରେ ତୃତୀୟ ସ୍ଥାନରେ ଅନୁସୂଚିତ ଜନଜାତିଙ୍କ ବିରୋଧରେ ମାମଲାରେ ୪ର୍ଥ, ଅନୁସୂଚିତ ଜାତିଙ୍କ ବିରୋଧରେ ଦେଶରେ ୫ମ, ପକସୋ ମାମଲାରେ ୪ର୍ଥ ଏବଂ ଶିଶୁମାନଙ୍କ ବିରୋଧରେ ସାମଗ୍ରିକ ଅପରାଧରେ ୬ଷ୍ଠ ସ୍ଥାନରେ ରହିଛି । ଓଡ଼ିଶା ସାଇବର ଅପରାଧରେ ମଧ୍ୟ ୧୦ମ ସ୍ଥାନରେ ଥିଲା । ତେବେ ରାଜ୍ୟରେ ଅପରାଧ ପଞ୍ଜୀକରଣ ଓ ଚାର୍ଜସିଟ୍ ଦାଖଲ ହାର ସନ୍ତୋଷଜନକ ଥିବାସତ୍ତ୍ୱେ ଦୋଷୀ ସାବ୍ୟସ୍ତ ହାର ଅତ୍ୟନ୍ତ ନିରାଶାଜନକ ରହିଛି । ୨୦୨୩ ମସିହାରେ ଚାର୍ଜସିଟ୍ ଦାଖଲ ହାର ୮୫% ରୁ ଅଧିକ ସତ୍ୱେ୍ୱ ସାମଗ୍ରିକ ମୋଟ୍ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୧.୬% ରହିଛି । ମହିଳାଙ୍କ ବିରୋଧରେ ଅପରାଧରେ ୯.୩%, ଶିଶୁଙ୍କ କ୍ଷେତ୍ରରେ ୮.୧% ଏବଂ ଅନୁସୂଚିତ ଜାତି ଓ ଜନଜାତି କ୍ଷେତ୍ରରେ ୬%ରୁ କମ୍ ଦୋଷୀ ସାବ୍ୟସ୍ତ ହାର ଓଡ଼ିଶାର ଉଭୟ ପୁଲିସ ଓ ନ୍ୟାୟ ବ୍ୟବସ୍ଥାର ବିଫଳତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ଗଞ୍ଜାମ, କଟକ, ସୁନ୍ଦରଗଡ, ଏବଂ ମୟୂରଭଞ୍ଜ ପରି ଜିଲ୍ଲାଗୁଡ଼ିକରେ କ୍ରମାଗତ ଭାବରେ ଅଧିକ ଆଇପିସି ମାମଲା ପଞ୍ଜିକୃତ ହୋଇଛି । ଓଡ଼ିଶାରେ ୨୦୦୦ ମସିହାରେ ୪୭,୮୧୨ ଆଇପିସି ମାମଲା ରେକର୍ଡ ହୋଇଥିବାବେଳେ ୨୦୨୩ରେ ଏହା ୧,୩୨,୭୧୩ କୁ ବୃଦ୍ଧି ପାଇଛି ଯାହାକି ୨୩ ବର୍ଷ ମଧ୍ୟରେ ୧୭୭% ବୃଦ୍ଧି । ଅପରାଧ ହାର ପ୍ରତି ଲକ୍ଷ ଜନସଂଖ୍ୟାରେ ୧୪୨.୩ ରୁ ୨୮୮.୬ କୁ ବୃଦ୍ଧି ପାଇଛି, ଯାହା ଜାତୀୟ ହାର ୨୪୨.୪ ଠାରୁ ଯଥେଷ୍ଟ ଅଧିକ ।
ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ୨୦୦୦ ମସିହାରେ ୮୨୧୪ ମାମଲାରୁ ୨୦୨୩ ରେ ୩୬୪୩୨ କୁ ବୃଦ୍ଧି ପାଇଛି ଯାହାକି ୩୪୩ ପ୍ରତିଶତ ବୃଦ୍ଧି । ମହିଳାଙ୍କ ବିରୁଦ୍ଧରେ ଅପରାଧ ହାର ମାମଲାରେ ଜାତୀୟସ୍ତରରେ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ପରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । କିନ୍ତୁ ଯଦି କେବଳ ମହିଳା ଜନସଂଖ୍ୟା ଅନୁପାତକୁ ହିସାବକୁ ନିଆଯାଏ ତା’ହେଲେ ଓଡ଼ିଶାରେ ୨୦୨୩ ମସିହାରେ ପ୍ରତି ଏକଲକ୍ଷ ମହିଳା ଜନସଂଖ୍ୟାରେ ଅପରାଧ ହାର ୯୦.୨ରେ ପହଂଚିଛି, ଯାହା ଭାରତରେ ସର୍ବାଧିକ ।
ଓଡ଼ିଶାରେ ଗତ ଦୁଇ ଦଶନ୍ଧି ମଧ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ତୀବ୍ର ଗତିରେ କ୍ରମାଗତ ବୃଦ୍ଧି ପାଇଛି, ବିଶେଷକରି ୨୦୧୫ ମସିହା ପରଠୁ । ରାଜ୍ୟରେ ମହିଳାଙ୍କ ବିରୋଧରେ ୨୦୧୫ ମସିହାରେ ୨୦୯୬୯ ମାମଲା ପଞ୍ଜିକୃତ ହୋଇଥିଲାବେଳେ ତାହା ୨୦୨୦ରେ ୩୧୩୫୨ କୁ ବୃଦ୍ଧି ପାଇ ୨୦୨୩ରେ ଏହା ୩୬୪୩୨ ରେ ପହଞ୍ôଚଛି ଯାହାକି ଆଠ ବର୍ଷ ମଧ୍ୟରେ ୭୪% ବୃଦ୍ଧି। ତେବେ କେବଳ ୨୦୨୨ ତୁଳନାରେ ୨୦୨୩ରେ ଓଡ଼ିଶାରେ ୨.୬୩ ପ୍ରତିଶତ ମହିଳା ବିରୋଧୀ ଅପରାଧ ମାମଲା ବୃଦ୍ଧି ପାଇଛି।
୨୦୨୩ ମସିହାରେ ଅପହରଣ ଏବଂ ବଳପୂର୍ବକ ଉଠାଇ ନେବାର ଓଡ଼ିଶାରେ ୫୨୧୩ଟି ମାମଲା ପଞ୍ଜୀକୃତ ହୋଇଛି, ଯାହାକି ୨୦୨୨ର ୪୯୮୨ ମାମଲା ତୁଳନାରେ ୪.୬% ଅଧିକ । ଏହି ଅପହରଣ ଓ ଉଠାଇନେବା ମାମଲାରେ ୨୯୧୪ ଜଣ ମହିଳା ଓ ବାଳିକା ଏବଂ ୧୮୭୩ ଜଣ ଶିଶୁ ଶିକାର ହୋଇଛନ୍ତି । ଏହି ମାମଲାଗୁଡ଼ିକରେ ୮୬.୪% ଚାର୍ଜସିଟ୍ ଦାଖଲ ସତ୍ତ୍ୱେଦୋଷୀ ସାବ୍ୟସ୍ତ ହାର ମାତ୍ର ୭.୮% ରହିଛି।
୨୦୨୩ ମସିହାରେ ଶିଶୁଙ୍କ ବିରୋଧରେ ଅପରାଧର ୭୪୦୨ ମାମଲା ରେକର୍ଡ ହେବା ସହ ଓଡ଼ିଶା ଜାତୀୟ ସ୍ତରରେ ୬ଷ୍ଠ ସ୍ଥାନରେ ରହିଛି । ଏଥିରୁ ୫୨୫୪ ମାମଲା ପକସୋ ଆଇନ ଅଧୀନରେ ଥିଲା, ଯାହାକି ଶିଶୁଙ୍କ ଯୌନ ଶୋଷଣ ମାମଲାରେ ଓଡ଼ିଶାକୁ ୪ର୍ଥ ସ୍ଥାନରେ ରଖିଛି । ୨୦୦୦ ମସିହାରେ ରାଜ୍ୟରେ ପ୍ରାୟ ୨୧୦୦ ଶିଶୁ-ସମ୍ବନ୍ଧୀୟ ମାମଲା ପଞ୍ଜିକୃତ ହୋଇଥିଲାବେଳେ ଦୁଇ ଦଶନ୍ଧି ମଧ୍ୟରେ ଏହି ପରିମାଣ ୨୫୨% ବୃଦ୍ଧି ପାଇଛି ।
ସେହିପରି ଶିଶୁଙ୍କ ବିରୁଦ୍ଧରେ ଅପରାଧ ମାମଲାରେ ଚାର୍ଜସିଟ୍ ଦାଖଲ ହାର ୮୪.୬% ଥିବାବେଳେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୮.୧% ରହିଛି । ବିଶେଷକରି ରାୟଗଡା, ଗଞ୍ଜାମ, ଏବଂ ସୁନ୍ଦରଗଡ଼ ପରି ଜିଲ୍ଲାଗୁଡ଼ିକରେ ଶିଶୁ ଶୋଷଣ ଏବଂ ନିର୍ଯାତନା ମାମଲା ଅଧିକ ରହିଛି । ବିଚାରରେ ବିଳମ୍ବ, ଫୋରେନସିକ୍ ସହାୟତାର ଅଭାବ, ଏବଂ ଦୁର୍ବଳ ସାକ୍ଷୀ ସୁରକ୍ଷା ନ୍ୟାୟ ପ୍ରଦାନରେ ବାଧା ସୃଷ୍ଟି କରୁଛି ।
ସାଇବର ଅପରାଧ ମାମଲା ୨୦୧୦ ମସିହାରେ ମାତ୍ର ୩୪ ଥିବାବେଳେ ୨୦୨୩ ମସିହାରେ ୧୨୧୩କୁ ବୃଦ୍ଧି ପାଇଛି ଯାହାକି ୩୫ ଗୁଣ ବଢ଼ିଛିି । ୨୦୨୩ ମସିହାରେ ଆର୍ଥିକ ଠକେଇ ୮୪୨ ମାମଲା ଥିବାବେଳେ, ମହିଳାଙ୍କୁ ଅନଲାଇନରେ ହଇରାଣର ୧୨୩ ମାମଲା ରୁଜୁ ହୋଇଛି । ମୋଟ୍ ସାଇବର ଅପରାଧ ମାମଲାରେ ଓଡ଼ିଶା ଜାତୀୟ ସ୍ତରରେ ୧୦ମ ସ୍ଥାନରେ ରହିଛି । ସାଇବର ଅପରାଧରେ ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୬.୪% ରହିଛି ଓ କେବଳ ଗୋଟିଏ ସାଇବର ସେଲ୍ (ଭୁବନେଶ୍ୱରରେ) କାର୍ଯ୍ୟକ୍ଷମ ରହିଥିବା ଏନସିଆରବି ରିପୋର୍ଟରେ ଉଲ୍ଲେଖ ଅଛି ।

Leave A Reply

Your email address will not be published.