ଆସନ୍ତା ଶିକ୍ଷାବର୍ଷରୁ ବଦଳିବ ନବମ ଶ୍ରେଣୀ ପାଠ୍ୟପୁସ୍ତକ

କଟକ : ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ବଦଳିବ ନବମ ଶ୍ରେଣୀର ପାଠ୍ୟପୁସ୍ତକ ।  ଜାତୀୟ ଶିକ୍ଷାନୀତି ୨୦୨୦, ଜାତୀୟ ପାଠ୍ୟଚର୍ଯ୍ୟା ଢାଞ୍ଚା ୨୦୨୩ ଏବଂ ଓଡ଼ିଶା ପାଠ୍ୟଚର୍ଯ୍ୟା ଢାଞ୍ଚା ୨୦୨୫ ସହ ସମନ୍ୱୟ ରଖି ଏହି ପରିବର୍ତ୍ତନ ହେଉଛି ।  ଏନେଇ ଆଜି କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବସିଥିଲା ବିଶେଷଜ୍ଞଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ।

ନବମ ଶ୍ରେଣୀର ନୂଆ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ପ୍ରସ୍ତୁତି ନେଇ ଆଜି ବୋର୍ଡ କାର୍ଯ୍ୟାଳୟରେ ବିଚାରବିମର୍ଶ ହୋଇଛି ।  ବିଭିନ୍ନ ବିଷୟର ବିଶେଷଜ୍ଞ, ଶିକ୍ଷାବିତ୍‌ ଓ ଗବେଷକମାନେ ଏଥିରେ ସାମିଲ ହୋଇଥିଲେ ।  ପାଠ୍ୟକ୍ରମର ବିଷୟବସ୍ତୁ, ଅଧ୍ୟାୟର ଢାଞ୍ଚା, ଶିକ୍ଷଣ ପଦ୍ଧତି ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଉପରେ ହୋଇଛି ଆଲୋଚନା ।   ନୂଆ ପାଠ୍ୟପୁସ୍ତକ ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦର ଢାଞ୍ଚା ସହ ସମନ୍ୱୟ ରଖି ପ୍ରସ୍ତୁତ ହେବ ।  ତେବେ ଓଡ଼ିଶାର ଭାଷା, ସଂସ୍କୃତି, ଇତିହାସ ଓ ସ୍ଥାନୀୟ ପରିବେଶକୁ ମଧ୍ୟ ଏଥିରେ ସ୍ଥାନ ଦିଆଯିବ ।  ଓଡ଼ିଆ ମାଧ୍ୟମରେ ପୁସ୍ତକ ଉପଲବ୍ଧ ହେବ।

ନୂଆ ପାଠ୍ୟକ୍ରମରେ କେବଳ ପାଠ ମୁଖସ୍ଥ କରିବା ନୁହେଁ, ବରଂ ଦକ୍ଷତା ଆଧାରିତ ଶିକ୍ଷଣ, ବିଷୟକୁ ବୁଝିବା, ଚିନ୍ତା କରିବା, ସମସ୍ୟା ସମାଧାନ କରିବା ଓ ନିଜ ଜ୍ଞାନକୁ ବାସ୍ତବ ଜୀବନରେ ପ୍ରୟୋଗ କରିବା ଉପରେ ଗୁରୁତ୍ୱ ରହିବ ।  କଳା ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ଭଳି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।  ନୂଆ ପାଠ୍ୟକ୍ରମରେ ଶାରୀରିକ ଶିକ୍ଷା ଓ ସୁସ୍ଥତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।  ଏହି ବିଷୟର ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ବିଶେଷଜ୍ଞ କମିଟିରେ କିଟ୍‌ ବିଶ୍ୱବିଦ୍ୟାଳୟର ଡକ୍ଟର ମନମୋହନ ରାଉତ, ଡକ୍ଟର ସସ୍ମିତା ତ୍ରିପାଠୀ ଏବଂ ଡକ୍ଟର ଅମ୍ବିକା ପ୍ରସାଦ ରାୟ ସାମିଲ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଶାରୀରିକ ସୁସ୍ଥତା ସହ ସ୍ୱାସ୍ଥ୍ୟ ସଚେତନତା, ନିୟମିତ ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ଉପରେ ନୂଆ ପାଠ୍ୟକ୍ରମରେ ଗୁରୁତ୍ୱ ଦିଆଯିବ।
ବିଶେଷଜ୍ଞଙ୍କ ମତାମତ ଓ ସମୀକ୍ଷା ପରେ ନୂଆ ପାଠ୍ୟକ୍ରମ ଚୂଡ଼ାନ୍ତ ହେବ। ଏହାପରେ ପାଠ୍ୟପୁସ୍ତକ ରଚନା ଓ ପ୍ରକାଶନ ପ୍ରକ୍ରିୟା ଆଗକୁ ବଢ଼ିବ। ଅର୍ଥାତ୍‌, ନୂଆ ଶିକ୍ଷାନୀତି, ଜାତୀୟ ପାଠ୍ୟଚର୍ଯ୍ୟା ଢାଞ୍ଚା ଓ ଓଡ଼ିଶାର ନିଜସ୍ୱ ପାଠ୍ୟଚର୍ଯ୍ୟା ଢାଞ୍ଚାକୁ ଆଧାର କରି ଆସନ୍ତା ଶିକ୍ଷାବର୍ଷରୁ ନବମ ଶ୍ରେଣୀରେ ଆସିବ ନୂଆ ପାଠ୍ୟକ୍ରମ ଓ ନୂଆ ପାଠ୍ୟପୁସ୍ତକ।

ad-week
Leave A Reply

Your email address will not be published.