କୋରାପୁଟ : କୋରାପୁଟ ଜିଲ୍ଲା ସଦର ମହକୁମାରେ ଆସନ୍ତା ଅକ୍ଟୋବର ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ (U-17) ବାଳକ ସ୍କୁଲ ଫୁଟବଲ ଚାମ୍ପିୟନଶିପ୍-୨୦୨୬ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୃହତ୍ କ୍ରୀଡ଼ା ମହୋତ୍ସବର ସୁଚାରୁ ଓ ସଫଳ ପରିଚାଳନା ନିମନ୍ତେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO) ବେଣୁଧର ସବରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଟୁର୍ଣ୍ଣାମେଣ୍ଟର ବିଭିନ୍ନ ପ୍ରସ୍ତୁତି, ମ୍ୟାଚ୍ ପରିଚାଳନା, ଖେଳାଳିମାନଙ୍କ ରହଣି, ଯାତାୟାତ, ସୁରକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଗ୍ନି ନିରାପତ୍ତା ଏବଂ ପ୍ରଚାର-ପ୍ରସାର ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇ ବିଭିନ୍ନ ବିଭାଗକୁ ଆବଶ୍ୟକ ଦାୟିତ୍ୱ ବଣ୍ଟନ କରାଯାଇଛି।
ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ, ସ୍ପୋର୍ଟସ କମ୍ପ୍ଲେକ୍ସ, ଡିଏଭି (DAV) କଲେଜ ପଡ଼ିଆ, ଓଏସଏପି (OSAP) ୩ୟ ବାଟାଲିୟନ ପଡ଼ିଆ, ରେଳବାଇ ଗ୍ରାଉଣ୍ଡ ଏବଂ ଆଇଆରବିଏନ୍ (IRBN) ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଏଥିପାଇଁ ଅକ୍ଟୋବର ୬ ତାରିଖ ସୁଦ୍ଧା ସମସ୍ତ ପଡ଼ିଆକୁ ମ୍ୟାଚ୍ ଉପଯୋଗୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ ଯୋଗାଇ ଦିଆଯିବା ସହ ଉଦ୍ଘାଟନୀ ଓ ଉଦ୍ଯାପନୀ ସମାରୋହରେ ଆବଶ୍ୟକ ସହଯୋଗ, ବୈଷୟିକ ଅଧିକାରୀ ତଥା ବିଭିନ୍ନ ଖେଳପଡ଼ିଆରେ ପୋଲିସ କର୍ମଚାରୀ ମୁତୟନ କରାଯିବ। ଖେଳାଳିମାନଙ୍କ ଯାତାୟାତ ସୁବିଧା ପାଇଁ ଏସଓଜି (SOG) ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ପକ୍ଷରୁ ବସ୍ ବ୍ୟବସ୍ଥା କରାଯିବ।
ସେହିପରି ଓଏସଏପି ୩ୟ ବାଟାଲିୟନ ଏବଂ ଆଇଆରବିଏନ୍ ପକ୍ଷରୁ ଖେଳପଡ଼ିଆ ସହିତ ଟେଣ୍ଟ, ଚେୟାର, ଟେବୁଲ ଓ ବିଦ୍ୟୁତ୍ ଭଳି ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯିବ। ଖାଲି ଥିବା ବାରାକ୍ଗୁଡ଼ିକୁ ଖେଳାଳିଙ୍କ ରହଣି ପାଇଁ ବ୍ୟବହାର କରାଯିବ। କ୍ରୀଡ଼ା ବିଭାଗ ପକ୍ଷରୁ ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଡିଏଭି କଲେଜ ପକ୍ଷରୁ ତାଙ୍କ ଖେଳପଡ଼ିଆ ପ୍ରଦାନ କରାଯିବ।
ଦାମନଯୋଡ଼ି ସ୍ଥିତ ନାଲ୍କୋ (NALCO) ଏବଂ ସୁନାବେଡ଼ା ସ୍ଥିତ ହାଲ୍ (HAL) ପକ୍ଷରୁ ପ୍ରତିଯୋଗିତା ପାଇଁ ପୁରସ୍କାର ତଥା ଅନ୍ୟାନ୍ୟ କ୍ରୀଡ଼ା ସାମଗ୍ରୀ ପ୍ରାୟୋଜିତ (Sponsor) କରାଯିବ। ଶିକ୍ଷା ବିଭାଗ ଖେଳାଳି ତଥା ଦଳୀୟ ସଦସ୍ୟଙ୍କ ପାଇଁ ଆବାସ ବ୍ୟବସ୍ଥା ତଦାରଖ କରିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ପଡ଼ିଆରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯିବ।
ଜନସ୍ୱାସ୍ଥ୍ୟ ବିଭାଗ (PHD) କେନ୍ଦ୍ରୀୟ ରୋଷେଇଶାଳା ତଥା କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବାକୁ ଥିବା ବେଳେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (RWSS) ପକ୍ଷରୁ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯିବ। ଏଥିସହ ପୂର୍ତ୍ତ ବିଭାଗ (PWD) ଶୌଚାଳୟଗୁଡ଼ିକର ମରାମତି କରିବ ଏବଂ ଅଗ୍ନିଶମ ବାହିନୀ ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ରହିବ।
ଏହି ରାଜ୍ୟସ୍ତରୀୟ ଫୁଟବଲ ମହାକୁମ୍ଭକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
