ଦଶମୀରେ ମାଆଙ୍କୁ ଲାଗି ହେବ ଦହି ପଖାଳ, ହଜାର ହଜାର ଶ୍ରଦ୍ଧାଳୁଙ୍କୁ ମିଳିବ ପ୍ରସାଦ

youtube

କଟକ: ଶାରଦୀୟ ଦଶହରା ଅବସରରେ ମାଆ ଦୁର୍ଗା ଆଜି ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ମହାନବମୀ ଅବସରରେ ଭକ୍ତମାନେ ପୂଜାମଣ୍ଡପରେ ମାଆଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ଆସନ୍ତାକାଲି ବିଜୟା ଦଶମୀ ପାଇଁ ପୂଜା କରିବେ। ପରମ୍ପରା ଅନୁଯାୟୀ କଟକ ସହରର ଅନେକ ମଣ୍ଡପରେ ଦହି ପଖାଳ ଭୋଗ ଲାଗି କରାଯିବ।
କଟକ ସହରର ଅନେକ ମଣ୍ଡପରେ ଏହି ଦହି ପଖାଳ ଭୋଗ ମା’ଙ୍କ ପାଖରେ ଲାଗୁ କରାଯିବ। କାଜିବଜାର ପୂଜା ମଣ୍ଡପ ଓ ଚୌଧୁରୀ ବଜାର ଦୁର୍ଗାପୂଜାରେ ଦହି ପଖାଳର ଭୋଗ ଲାଗିବ। ଦହିପଖାଳ ସାଙ୍ଗକୁ ଛଙ୍କା, ଶାଗ ଭଜା, କୋବି ଭଜା ଆଦି ମାଙ୍କ ପାଖରେ ଲାଗୁ କରାଯାଇଥାଏ। ବିଶ୍ୱାସ ରହିଛି ଝିଅ ଯେପରି ବାପ ଘରୁ ଶାଶୁ ଘରକୁ ଗଲା ବେଳେ ଦହି ଦିଆଯାଏ, ଠିକ ମାଙ୍କୁ ମଧ୍ୟ ସେହିପରି ଦହି ପଖାଳ ଭୋଗ ଲାଗୁ କରାଯାଏ । ଏହି ପ୍ରସାଦ ମାଙ୍କ ନିକଟରେ ଲାଗୁହେବା ପରେ ସାହିର ସମସ୍ତ ଘରେ ଘରେ ବଣ୍ଟନ କରିବାର ପରମ୍ପରା ରହିଛି।
ଚଳିତ ବର୍ଷ ଦୁର୍ଗାପୂଜା ଅବସରରେ ଦଶମୀ ଦିନ ମା’ଙ୍କ ନିକଟରେ ଦହି-ପଖାଳ ଭୋଗ ଲାଗିବ। ଭଜା, ଶାଗ, ଛମ୍ପା, ଜହ୍ନିପୋଡ଼ା, ସବୁ ପରିବାରୁ ପ୍ରସ୍ତୁତ ଏକ ଚୋପାରୁ ଚୋପି ତରକାରୀ ହେବ। ୧୦,୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯିବ। ଯେଉଁମାନେ ମା’ଙ୍କ ମଣ୍ଡପକୁ ଆସିପାରିବେନାହିଁ ୫୦ଟଙ୍କାରେ କୁପନ ନେଇପାରିବେ। କମିଟି ପକ୍ଷରୁ ପ୍ରସାଦ ବ୍ୟବସ୍ଥା କରାଯିବ। ପୂଜା ପାଇଁ ୨୫ ଲକ୍ଷ ଟଙ୍କାର ବଜେଟ୍‌ ରଖାଯାଇଛି।
କଟକ ମହାନଗର ଶାନ୍ତିକମିଟିର ପ୍ରତିଷ୍ଠାତା ସଦସ୍ୟ ତଥା ସାଧାରଣ ସଂପାଦକ ଭିକାରୀ ଦାସ (୮୪) କୁହନ୍ତି କଟକ ମହାନଗର ଅଞ୍ଚଳରେ ଚଳିତ ବର୍ଷ ୧୭୬ଟି‌ ମେଢ଼ରେ ପୂଜାର ଆୟୋଜନ ହୋଇଛି। ଏଥିରୁ ପାଖାପାଖି ୧୦୦ଟିରେ ମାଁ ଦୁର୍ଗା ଓ ବାକି ମେଢ଼ରେ ଶିବ ଏବଂ ଅନ୍ୟାନ୍ୟ ମୂର୍ତ୍ତି ପୂଜା ପାଉଛନ୍ତି। ଗତବର୍ଷ ଯାଏଁ କଟକରେ ୩୪ଟି ଚାନ୍ଦିମେଢ଼ ନିର୍ମାଣ କରାଯାଇଥିଲା। ଏଥର ଏହି ତାଲିକାରେ ଗୋପାଳଜିଉ ଲେନ୍‌ ମଠସାହି ଓ ଯୋବ୍ରା ଯୋଡ଼ି ହୋଇଯାଇଛି। ଏତଦ୍‌ ବ୍ୟତୀତ ତେଲେଙ୍ଗାବଜାର ଓ ‌ବୟାଳିଶ ମୌଜାରେ ପିତ୍ତଳ ଏବଂ ରାଉସପାଟଣାରେ କାଚ ମେଢ଼ ନିର୍ମାଣ କରାଯାଇଛି।

Leave A Reply

Your email address will not be published.