
ଅନୁଗୁଳ: କ୍ରାଇମ ସ୍ପଟ୍ ଅନୁଗୁଳ। କିନ୍ତୁ ଅପରେଟ ହେଉଥିଲା ବାଲେଶ୍ଵରରୁ। ବାଲେଶ୍ଵର ସତେ ଯେମିତି ପାଲଟିଯାଇଛି ଓଡ଼ିଶାର ନୂଆ ଜମତାରା। ଜମତାରା ଷ୍ଟାଇଲରେ ସୋରୋରୁ ଚାଲୁଥିଲା ସାଇବର ଅପରାଧର ନେଟୱର୍କ ଚାଲିଥିଲା। ଅନୁଗୁଳ ସାଇବର ଥାନା ଏଭଳି ଏକ ସାଇବର ଅପରାଧ ନେଟୱର୍କର ପର୍ଦ୍ଦାଫାଶ କରିଛି।
ଅଭିଯୋଗ ଅନୁସାରେ ଅନୁଗୁଳରୁ ଜଣେ ବ୍ୟବସାୟୀଙ୍କ ଠାରୁ ୫୨ ଲକ୍ଷ ଟଙ୍କା ସାଇବର ଲୁଟ ଘଟଣାର ତଦନ୍ତ କରୁକରୁ ଅନୁଗୁଳ ପୁଲିସ ହାତରେ ଲାଗିଛି ପୂରା ନେଟୱର୍କର ଚେର। ସାଇବର ଠକମାନଙ୍କ ଟାର୍ଗେଟରେ ଥିଲେ ବ୍ୟବସାୟୀ, ଅବସରପ୍ରାପ୍ତ ଅଫିସର, ବ୍ୟାଙ୍କ କର୍ମଚାରୀ ଓ ବୟସ୍କ।
ଟ୍ରେଡିଂ ଆପର ଜାଲ ବିଛାଇ ଆଖି ପିଛୁଳାକେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ। ହେଲେ ପୁଲିସର ଛଞ୍ଚାଣ ଆଖିରୁ ବର୍ତ୍ତି ପାରିନାହାନ୍ତି ଏହି ଫ୍ରଡମାନେ। ଏହି ଘଟଣାରେ ପୁଲିସ ମୋଟ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ସୋରରୁ ୩ ଜଣ, ଭଦ୍ରକରୁ ଜଣେ ଓ ଅନ୍ୟ ଜଣେ ପଶ୍ଚିମବଙ୍ଗ ଦାର୍ଜିଲିଂରୁ। ଆଜି ସାମ୍ୱାଦିକ ସମ୍ମିଳନୀ କରି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏମିତି ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୨୮ ହଜାର ଟଙ୍କା, ଏକ ଦାମୀ କାର, ଏକାଧିକ ବ୍ୟାଙ୍କର ପାସବୁକ, ଚେକ୍, ଗୋଟେ ରୋଲେକ୍ସ ଘଣ୍ଟା ଓ ସୁନା ଚେନ ଜବତ ହୋଇଛି।
ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜୈନ କହିଛନ୍ତି, ଏହି ନେଟୱର୍କର ଚେର ଓଡ଼ିଶାରୁ ଆରମ୍ଭ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଜମ୍ମୁ ପର୍ଯ୍ୟନ୍ତ ଲମ୍ବିଥିବା କହିଛନ୍ତି ଅନୁଗୁଳ ଏସ୍ପି। ଏ ଘଟଣାର ମାଷ୍ଟର ମାଇଣ୍ଡ ପାଖରେ ପହଞ୍ଚିବା ପାଇଁ ଜାଲ ବିଛାଇବା ଆରମ୍ଭ କରିଛି ଅନୁଗୁଳ ସାଇବର ଥାନା।