ଗୁଡ଼ାରୀ: ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡି.ପେଣ୍ଡିଲି ଗ୍ରାମରେ ବାପା-ପୁଅଙ୍କ ମଧ୍ୟରେ ଥିବା ବିବାଦରୁ ଜଣେ ବୃଦ୍ଧଙ୍କ ବେକକୁ ବ୍ଲେଡ୍ରେ କାଟି ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁଡ଼ାରୀ ପୁଲିସ ଅଭିଯୁକ୍ତ ପୁଅ କାମ୍ପୁ ବାତ୍ରାଙ୍କୁ ଗିରଫ କରିଛି। ଆହତ ବାପା ଦୟାଶୀଳ ବାତ୍ରା (୬୫)ଙ୍କୁ ପ୍ରଥମେ ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଦୟାଶୀଳଙ୍କ ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି। ଝିଅ କେତକୀ ପାଲାକା ଗୌଡ଼ଦେପାଗୁଡ଼ାରେ ବିବାହ ପରେ ରହୁଥିବା ବେଳେ ସାନ ପୁଅ ନିଜ ସ୍ତ୍ରୀଙ୍କ ସହ କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଜଣାପଡ଼ିଛି।
ଦୟାଶୀଳ ଓ ତାଙ୍କ ବଡ଼ପୁଅ କାମ୍ପୁ ଏକାଠି ରହୁଥିଲେ। ଦୟାଶୀଳଙ୍କ ଦୁଇଟି ଘର ମଧ୍ୟରୁ ଗୋଟିଏ ଘର ଦେବାକୁ କାମ୍ପୁ ଦାବି କରିଥିଲେ। ତେବେ କାମ୍ପୁ ଅବିବାହିତ ଥିବାରୁ ଦୟାଶୀଳ ଘର ଦେବାକୁ ମନା କରିଥିବାରୁ ଉଭୟଙ୍କ ମଧ୍ୟରେ କିଛିଦିନ ଧରି ତିକ୍ତତା ରହିଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ ଦୟାଶୀଳ ଘରେ ଶୋଇଥିବା ବେଳେ କାମ୍ପୁ ବ୍ଲେଡ୍ ସାହାଯ୍ୟରେ ତାଙ୍କ ବେକ କାଟିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଦୟାଶୀଳ ଉଠି ପାଟି କରିବାରୁ କାମ୍ପୁ ସେଠାରୁ ଦୌଡ଼ି ପଳାଇଥିବା କୁହାଯାଇଛି। ସକାଳ ପ୍ରାୟ ୬ଟା ୩୦ରେ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ଦୟାଶୀଳଙ୍କ ଝିଅ କେତକୀ ପାଲାକା ଓ ଜ୍ୱାଇଁ ଲବ ପାଲାକାଙ୍କୁ ଖବର ଦେଇଥିଲେ। ସେମାନେ ଆମ୍ବୁଲାନ୍ସ ଯୋଗେ ଦୟାଶୀଳଙ୍କୁ ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଖବର ପାଇ ଗୁଡ଼ାରୀ ଥାନା ଅଧିକାରୀ ବିଶ୍ୱବନ୍ଧିନୀ ବାଗ ଡାକ୍ତରଖାନାରେ ପହଞ୍ଚି ଆହତ ଦୟାଶୀଳଙ୍କ ଚିକିତ୍ସାରେ ସହଯୋଗ କରିଥିଲେ। ଚିକିତ୍ସା ସମୟରେ ସେ ନିଜେ ଉପସ୍ଥିତ ରହି ମେଡିକାଲ କର୍ମଚାରୀଙ୍କୁ ସିଲେଇ କରିବାରେ ସହଯୋଗ କରିଥିଲେ l ଦୟାଶୀଳଙ୍କ ଅବସ୍ଥା ଗୁରୁତର ଥିବାରୁ ଗୁଡ଼ାରୀ ମେଡିକାଲରେ ଆବଶ୍ୟକ ଚିକିତ୍ସା ସୁବିଧା ନଥିବା ଯୋଗୁଁ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା।
ପରିବାର ଲୋକଙ୍କ ନିକଟରେ ତୁରନ୍ତ ଆବଶ୍ୟକ ଟଙ୍କା ନଥିବା ଜାଣିବା ପରେ ଥାନା ଅଧିକାରୀ ଶ୍ରୀମତୀ ବାଗ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା କରିଥିବା ଜଣାପଡ଼ିଛି। ଏଥିସହ ସେ ନିଜେ ଆମ୍ବୁଲାନ୍ସରେ ଆହତଙ୍କୁ ରାୟଗଡ଼ା ପଠାଇବାରେ ସହଯୋଗ କରିଥିଲେ। ତାଙ୍କ ଏହି ମାନବିକ ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ, ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଶ୍ୟାମସୁନ୍ଦର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କାମ୍ପୁ ବାତ୍ରାଙ୍କୁ ଧରି ଥାନାକୁ ଆଣିଥିଲେ। ଦୟାଶୀଳଙ୍କ ଝିଅ କେତକୀ ପାଲାକା ଅଭିଯୋଗ କରିବା ପରେ ଏନେଇ ଗୁଡ଼ାରୀ ଥାନାରେ କେସ୍ ନମ୍ବର ୧୨୦/୨୬ରେ ମାମଲା ରୁଜୁ ହୋଇଛି। ଘଟଣାର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
