
ନୂଆପଡା: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ବିଧାୟିକା ତଥା ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ଉପନିର୍ବାଚନକୁ ନେଇ ପ୍ରମିଳା କହିଛନ୍ତି ଯେ ନୂଆପଡା ନିର୍ବାଚନମଣ୍ଡଳୀ ବିଜେଡିର ଥିଲା ଓ ରହିବ । ଏହି ଉପନିର୍ବାଚନରେ ୪୦ରୁ ୫୦ହଜାର ଭୋଟରେ ବିଜେଡି ବିଜୟୀ ହେବ । ନୂଆପଡାର ବିକାଶ ପ୍ରତି ରାଜେନ୍ଦ୍ର ଢୋଲକିଆଙ୍କ ଅବଦାନ ରହିଛି । ଲୋକେ ନବୀନଙ୍କୁ ମନେ ପକାଉଛନ୍ତି । ନବୀନ ଯାହାକୁ ଟିକେଟ ଦେବେ ସେ ଜିତିବ, ଦୃଢୋକ୍ତି ବାଢିଛନ୍ତି ପ୍ରମିଳା ।
ପ୍ରମିଳା କହିଛନ୍ତି ଯେ ଯେତେବେଳେ ମୁଖ୍ୟମନ୍ତ୍ରୀ ଜାଣିଲେ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ, ସେତେବେଳେ ନୂଆପଡାକୁ ଗଲେ, ତାଙ୍କର ନୂଆପଡାବାସୀଙ୍କ ପାଇଁ ଆନ୍ତରିକତା ନାହିଁ । କାଲି ମୁଖ୍ୟମନ୍ତ୍ରୀ କହିଲେ ଯେ ଢୋଲକିଆଙ୍କ ସ୍ୱପ୍ନ ପୂରଣ କରିବେ । ତାଙ୍କ ଶୁଦ୍ଧିକ୍ରୟାରେ କାହିଁକି ଏ କଥା କହିଲେ ନାହିଁ । ହେଲେ ନୂଆପଡାବାସୀ ଜାଣିଛନ୍ତି ବିଜେଡି କଣ ଓ ଅନ୍ୟ ଦଳ କଣ । ଲୋକମାନେ ଏଠାରେ ପୁଣି ଥରେ ବହୁ ଭୋଟରେ ବିଜେଡିକୁ ଜିତାଇବେ । ସରକାର ଯେତେବେଳେ ଭଲ କାମ କରନ୍ତି, ଉପନିର୍ବାଚନ ସରକାର ଦଳ ସପକ୍ଷରେ ଥାଏ, ହେଲେ ଏମାନେ କିଛି ଭଲ କାମ କରିନାହାଁନ୍ତି ।
ତେବେ ନୂଆପଡାରୁ ବିଜେଡିର କିଏ ପ୍ରାର୍ଥୀ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅକୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରାର୍ଥୀଙ୍କ ନାମ ଖୁବଶୀଘ୍ର ଦଳର ସଭାପତି ଘୋଷଣା କରିବେ ବୋଲି ପ୍ରମିଳା କହିଛନ୍ତି ।