୬୦ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲା ମୋଷ୍ଟ ୱାଣ୍ଟେଡ୍ ମାଓନେତା ମାଲୋଜୁଲା ବେଣୁଗୋପାଳ ରାଓ

youtube

ନୂଆଦିଲ୍ଲୀ : ଭୁଶୁଡୁଛି ଲାଲଗଡ଼ । ମୋଷ୍ଟ ୱାଣ୍ଟେଡ୍ ଟପ୍ ମାଓନେତା ମାଲୋଜୁଲା ବେଣୁଗୋପାଳ ରାଓ ଓରଫ ସୋନୁର ଆତ୍ମସମର୍ପଣ। ମହାରାଷ୍ଟ୍ର ଗଡ଼ଚିରୋଲି ପୋଲିସ ନିକଟରେ ୬୦ ସହଯୋଗୀଙ୍କ ସହ ଆତ୍ମସମର୍ପଣ କରିଛି CPI ମାଓବାଦୀର ବରିଷ୍ଠ ପଲିଟବ୍ୟୁରୋ ସଦସ୍ୟ ସୋନୁ । ଗତ ସେପ୍ଟେମ୍ବରରେ ସୋନୁ ଅସ୍ତ୍ରତ୍ୟାଗ କରିବାକୁ ସେ ଏକ ପ୍ରେସ୍ ବିବୃତିରେ ଜଣାଇଥିଲା । ସୋନୁ ଛତିଶଗଡ଼ ପୋଲିସ ସମେତ ଅନ୍ୟ ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା ।

ତେଲେଙ୍ଗାନା ପେଡ୍ଡାପଲ୍ଲୀର ବାସିନ୍ଦା ୬୯ ବର୍ଷୀୟ ବେଣୁଗୋପାଲ ରାଓ । ସେ BCom ଡିଗ୍ରୀ ହାସଲ କରିଛି । ସେ ମାଓବାଦୀ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ୍ କମିଟିର ମୁଖ୍ୟ ଥିଲା ଏବଂ କେନ୍ଦ୍ରୀୟ କମିଟିର ଏକ ପ୍ରମୁଖ ସଦସ୍ୟ ଥିଲା । ୨୦୧୧ରେ ପଶ୍ଚିମବଙ୍ଗରେ ଏକ ଏନକାଉଣ୍ଟରରେ ନିହତ ହୋଇଥିବା ମାଓ ନେତା ମଲ୍ଲୋଜୁଲା କୋଟେଶ୍ୱର ରାଓ ଓରଫ କିଶନଜୀର ସାନ ଭାଇ ସୋନୁ ।  ଛତିଶଗଡ଼ରେ ସୋନୁ କମ୍ରେଡ୍ ଭାବେ ମାଓବାଦୀଙ୍କ ନେତୃତ୍ବ ନେଇଥିଲା।

ଦୀର୍ଘଦିନ ପରେ କେନ୍ଦ୍ର ସରକାରଙ୍କ ଯୋଜନାରେ ଆକୃଷ୍ଟ ହୋଇ ଅସ୍ତ୍ର ତ୍ୟାଗ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆଗେଇ ଆସିଛି ବୋଲି ସୂଚନା ମିଳିଛି । ଗତ ମେରେ ଛତିଶଗଡ଼ର ଅବୁଝମାଡରେ ମହାସଚିବ ନାମ୍ବଲା କେଶବ ରାଓ ଓରଫ ବାସଭାରାଜୁର ମୃତ୍ୟୁ ଘଟିଥିଲା ।

ବାସଭାରାଜୁର ମୃତ୍ୟୁ ପରେ ସୋନୁ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ବିବେଚିତ ହେଉଥିଲେ । ସୋନୁର ତିନୋଟି ତେଲୁଗୁ ଚିଠି ମାଓ ସଂଗଠନରେ ଆଭ୍ୟନ୍ତରୀଣ କନ୍ଦଳକୁ ପଦାକୁ ଆଣିଥିଲା  । ପୂର୍ବରୁ ଗତ ଡିସେମ୍ବରରେ ସୋନୁର ପତ୍ନୀ ତାରକ୍କା ଆତ୍ମସମର୍ପଣ କରିଥିଲା । ମୋଷ୍ଟ ୱାଣ୍ଟେଡ୍ ଟପ୍ ମାଓନେତା ମାଲୋଜୁଲା ବେଣୁଗୋପାଳ ୬୦ ସହଯୋଗୀଙ୍କ ସହ ସରେଣ୍ଡର କରିବା ଏବେ ସଂଗଠନକୁ ବଡ଼ ଧକ୍କା ପାଲଟିଛି ।

Leave A Reply

Your email address will not be published.