
ନୂଆଦିଲ୍ଲୀ : ଦିଲ୍ଲୀବାସୀଙ୍କ ଆଶଙ୍କାକୁ ଦୂର କଲେ ସୁପ୍ରିମକୋର୍ଟ । ଦିଲ୍ଲୀରେ ସବୁଜ ବାଣକୁ ମିଳିଲା ଅନୁମତି । କୋର୍ଟ ଦିଲ୍ଲୀ-ଏନସିଆରରେ ସବୁଜ ବାଣ ବିକ୍ରୟ ଉପରେ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି ଏବଂ ବାଣ ଫୁଟାଇବାକୁ ମଧ୍ୟ ଅନୁମତି ଦେଇଛନ୍ତି । ପ୍ରଧାନ ବିଜାରପତି ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ୍ ବିନୋଦ ଚନ୍ଦ୍ରନ୍ ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଅକ୍ଟୋବର ୧୮ ରୁ ୨୦ ମଧ୍ୟରେ ସବୁଜ ବାଣ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି । ସେହିପରି ଦୀପାବଳି ପୂର୍ବ ଦିନ ଏବଂ ଦୀପାବଳି ଦିନ ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯିବ । କେବଳ QR କୋଡ୍ ଥିବା ଅନୁମତିପ୍ରାପ୍ତ ବାଣ ଯେପରି ବିକ୍ରି ହୁଏ, ତା ଉପରେ ନଜର ରଖିବା ପାଇଁ ପୋଲିସ କର୍ତ୍ତୃପକ୍ଷଙ୍କୁ ପାଟ୍ରୋଲିଂ ଟିମ୍ ଗଠନ କରିବାକୁ ପଡିବ ।
ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନୋଟିସ୍ ଜାରି କରାଯିବ ଏବଂ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ । ଖଣ୍ଡପୀଠ କହିଛନ୍ତି ଯେ, ଇ-କମର୍ସ ୱେବସାଇଟରୁ କୌଣସି ବାଣ ଯୋଗାଇ ଦିଆଯିବ ନାହିଁ ।
ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଏନସିଆରରେ କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ଏହା ବିକ୍ରି ହେବ ଏବଂ ଏ ବିଷୟରେ ବ୍ୟାପକ ପ୍ରଚାର କରାଯିବ । ବିକ୍ରି ସ୍ଥାନଗୁଡିକରେ ନଜର ରଖିବା ପାଇଁ ପୋଲିସ୍ କର୍ତ୍ତୃପକ୍ଷଙ୍କୁ ପାଟ୍ରୋଲିଂ ଟିମ୍ ଗଠନ କରିବାକୁ ପଡିବ । ଯେଉଁଥିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ରହିବେ । ପାଟ୍ରୋଲିଂ ଟିମ୍ ସୁନିଶ୍ଚିତ କରିବେ ଯେ, କେବଳ QR କୋଡ୍ ଥିବା ଅନୁମତିପ୍ରାପ୍ତ ବାଣ ବିକ୍ରି ହେବ । ଏହା ସହିତ ସେମାନେ ଯାଞ୍ଚ ପାଇଁ କିଛି ନମୁନା ମଧ୍ୟ ନେଇପାରିବେ ।