
ଭୁବନେଶ୍ୱର: ନୂଆପଡ଼ା ଉପ-ନିର୍ବାଚନ ଲଢ଼ିବା ପାଇଁ ରାଜ୍ୟ କଂଗ୍ରେସ ପାଖରେ ଟଙ୍କା ନାହିଁ। ବିଜେଡି ଓ ବିଜେପି ପାଖରେ ଅର୍ଥବଳ ଥିବାରୁ ଉଭୟ ଦଳ ଏହି ଉପ-ନିର୍ବାଚନରେ ଟଙ୍କା ଖର୍ଚ୍ଚ କରିପାରିବେ। ସେମାନଙ୍କୁ ଟକ୍କର ଦେବାକୁ ହେଲେ ଅର୍ଥର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ସମସ୍ତ କଂଗ୍ରେସ ନେତା ଏବଂ କର୍ମୀଙ୍କୁ ଆର୍ଥିକ ସହଯୋଗ କରିବାକୁ ଚିଠି ଲେଖିଛନ୍ତି। ଏହି ଉପ-ନିର୍ବାଚନରେ ପ୍ରାର୍ଥୀ ଘୋଷଣା, ନାମାଙ୍କନପତ୍ର ଦାଖଲ ଏବଂ ପ୍ରଚାରରେ କଂଗ୍ରେସ ଆଗରେ ଥିଲେ ବି ଆର୍ଥିକ କ୍ଷେତ୍ରରେ କିନ୍ତୁ ପଛରେ ପଡ଼ିଛି।
ନୂଆପଡ଼ା ଉପ-ନିର୍ବାଚନ ବିଜେଡି, ବିଜେପି ଏବଂ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ୨୪ବର୍ଷ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ବିଜେପି ପ୍ରଥମ କରି ରାଜ୍ୟ ଶାସନ ଭାର ସମ୍ଭାଳୁଛି। ଲୋକଙ୍କ ସରକାର ବୋଲି କହୁଥିବା ବିଜେପି ନୂଆପଡ଼ା ଆସନ ହାତେଇବା ପାଇଁ ସମସ୍ତ ପ୍ରକାର ରଣନୀତି ଆପଣାଇଛି। ଅନ୍ୟପଟେ ୨୪ବର୍ଷ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟକୁ ଶାସନ କରୁଥିବା ବିଜେଡି ବିରୋଧୀ ଦଳରେ ବସିଛି। ବିଜେଡିର ଶକ୍ତି ପ୍ରଦର୍ଶନ, ଦଳର ସମ୍ମାନ ରକ୍ଷା ଏବଂ ନବୀନଙ୍କ ଲୋକପ୍ରିୟତା ପ୍ରମାଣିତ କରିବାକୁ ହେଲେ ନୂଆପଡ଼ା ଉପ-ନିର୍ବାଚନ ଜିତିବା ଦଳ ପାଇଁ ଆବଶ୍ୟକ ମନେ ହେଉଛି। ଅନ୍ୟପଟେ ୨୦୨୪, ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପିସିସି ସଭାପତି ସହିତ ଜିଲା, ବ୍ଲକ, ମଣ୍ଡଳ ଏବଂ ନଗର ସଙ୍ଗଠନର ସମସ୍ତ ପଦ ପଦବୀକୁ ଭାଙ୍ଗି ଦେଇଥିଲା। ଏହାର ପ୍ରାୟ ୭ମାସ ପରେ ପିସିସି ସଭାପତି ମଙ୍ଗୁଆଳ ଭାବେ ଭକ୍ତ ଦାସଙ୍କୁ ଏଆଇସିସି ଦାୟିତ୍ବ ଦେଇଥିଲା। ପିସିସି ସଭାପତି ଭାବେ ଭକ୍ତ ଦାୟିତ୍ବ ଗ୍ରହଣ ପରେ ବିଜେଡି ଏବଂ ବିଜେପିକୁ ଅନେକ ସମୟରେ ଅଡୁଆରେ ପକାଇଛନ୍ତି। ତାଙ୍କ ନେତୃତ୍ବରେ କଂଗ୍ରେସ ଆଗକୁ ବଢ଼ୁଥିବା ବେଳେ ନୂଆପଡ଼ା ଉପ-ନିର୍ବାଚନ ପ୍ରକୃତରେ ଭକ୍ତଙ୍କ ଦକ୍ଷତା ପରଖିବ ବୋଲି ଚର୍ଚ୍ଚା ହେଉଛି।
୨୦୨୪, ସାଧାରଣ ନିର୍ବାଚନରେ ଦଳ ପାଖରେ ଟଙ୍କା ନଥିବା ଚର୍ଚ୍ଚା ହୋଇଥିଲା। ତେଣୁ ନୂଆପଡ଼ା ଉପ-ନିର୍ବାଚନରେ କଂଗ୍ରେସର ସମ୍ମାନ ରକ୍ଷା କରିବାକୁ ନେତା ଓ କର୍ମୀଙ୍କଠାରୁ ସାହାଯ୍ୟ ଲୋଡ଼ିଛନ୍ତି ପିସିସି ସଭାପତି। ନେତା ଓ କର୍ମୀ ଚାହିଁଲେ ଆର୍ଥିକ ସହଯୋଗ କରିପାରିବେ ବୋଲି ପିସିସି ସଭାପତି ତାଙ୍କ ଚିଠିରେ ଉଲ୍ଲେଖ କରିଥିବା କଂଗ୍ରେସ କୋଷାଧ୍ୟକ୍ଷ ଇଂ. ସିଦ୍ଧାର୍ଥ ସ୍ବରୂପ ଦାଶ କହିଛନ୍ତି।