
ନୂଆଦିଲ୍ଲୀ: ଉଡ଼ାଣ ଭରିବା ବେଳେ ଇଣ୍ଡିଗୋ ଟ୍ୟାଙ୍କରୁ ହେଲା ଇନ୍ଧନ୍ ଲିକ୍ । ଏହା ହେବା କାରଣରୁ ଇଣ୍ଡିଗୋର କୋଲକାତା-ଶ୍ରୀନଗର ବିମାନ ‘6E-6961’ ବାରାଣସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ବାରାଣସୀ ପୋଲିସ କହିଛି, ବିମାନରେ ଥିବା ସମସ୍ତ ୧୬୬ ଜଣ ଯାତ୍ରୀ ଏବଂ କ୍ରୁଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି । ବିମାନବନ୍ଦର ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି । ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ବିମାନବନ୍ଦରରେ ସ୍ୱାଭାବିକ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି ।
ବାରାଣସୀ ପୋଲିସ ଏକ ବିବୃତ୍ତିରେ କହିଛି, ୨୨ ଅକ୍ଟୋବରରେ, ଗୋମତୀ ଜୋନ୍ ରୁ ସୂଚନା ଆଧାରରେ, କୋଲକାତାରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ନମ୍ବର 6E-6961 ରେ ଇନ୍ଧନ ଲିକ୍ ହୋଇଥିବାର ଏକ ରିପୋର୍ଟ ମିଳିଥିଲା । ସନ୍ଧ୍ୟା ୬:୧୦ ରେ ବିମାନଟି ବାରାଣସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ବିମାନରେ ମୋଟ ୧୬୬ ଜଣ ଯାତ୍ରୀ ଏବଂ କ୍ରୁ ଥିଲେ ।
ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା ଏବଂ ଆଉ ଏକ ବିମାନ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଆଗମନ କ୍ଷେତ୍ରରେ ବସାଇ ଦିଆଯାଇଥିଲା । ରିପୋର୍ଟ ଅନୁଯାୟୀ, ଇଣ୍ଡିଗୋ ବିମାନର ପାଇଲଟ୍ ପରିସ୍ଥିତି ବିଷୟରେ ଅବଗତ ହେବା ପରେ ତୁରନ୍ତ ବାରାଣସୀ ବିମାନବନ୍ଦରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସହିତ ଯୋଗାଯୋଗ କରିଥିଲେ ଏବଂ ଇନ୍ଧନ ଲିକ୍ ହେବା ବିଷୟରେ ସୂଚନା ଦେଇଥିଲେ । ପାଇଲଟ୍ ବାରାଣସୀ ବିମାନବନ୍ଦର ATC ରୁ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ ।
ଏଥିସହ ଜାଣିରଖନ୍ତୁ ଯେ, ଅନୁମତି ପାଇବା ପରେ ବିମାନଟି ଅପରାହ୍ନରେ ରନୱେରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ବୈଷୟିକ ଦଳ ବିମାନର ଯାଞ୍ଚ ଏବଂ ମରାମତି ଆରମ୍ଭ କରିଥିଲେ । ବିମାନ ବନ୍ଦର ଅଧିକାରୀମାନେ କହିଛନ୍ତି ଯେ ବିମାନଟି ମରାମତି ହେବା ପରେ ତା’ର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବ ।