
କାବୁଲ: ପାକିସ୍ତାନ ସହିତ ହୋଇଥିବା ସଂଘର୍ଷ ପଛରେ ଭାରତର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ୟାକୁବ ମୁଜାହିଦ ଓରଫ ମୁଲ୍ଲା ୟାକୁବ୍। ମଙ୍ଗଳବାର ମୁଜାହିଦ କହିଛନ୍ତି ଯେ ପାକିସ୍ତାନ ସହିତ ହୋଇଥିବା ସଂଘର୍ଷ ଏକ ସୀମା ବିବାଦ। ଏହି ବିବାଦ ସହିତ ଅନ୍ୟ କୌଣସି ରାଷ୍ଟ୍ରକୁ ସମ୍ପୃକ୍ତ କରିବା ଠିକ୍ ନୁହେଁ। ଅଲ୍ ଜଜିରାକୁ ଦେଇଥିବା ଏକ ସାକ୍ଷାତକାରରେ ମୁଲ୍ଲା ୟାକୁବ୍ କହିଛନ୍ତି ଯେ ଆଫଗାନିସ୍ତାନ ଏହାର ବିଦେଶ ନୀତି ସମ୍ପର୍କିତ ନିଷ୍ପତ୍ତି ସ୍ବାଧୀନ ଭାବେ ନେଇଥାଏ। ଏହା ପଛରେ କୌଣସି ଚାପର ବଶବର୍ତ୍ତୀ ହୋଇ ନଥାଏ। ଆଫଗାନିସ୍ତାନ ସହିତ ସୀମା ସଂଘର୍ଷ ପଛରେ ଭାରତର ସମ୍ପୃକ୍ତି ରହିଥିବା ନେଇ ପାକିସ୍ତାନ କରିଥିବା ଅଭିଯୋଗକୁ ନେଇ ମୁଲ୍ଲା ୟାକୁବ୍ ଏପରି କହିଛନ୍ତି। ଅକ୍ଟୋବର ୧୧ରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ସଂଘର୍ଷ ଲାଗି ରହିଛି। ଏହି ସଂଘର୍ଷରେ ଉଭୟ ପକ୍ଷରୁ ଶତାଧିକ ପ୍ରାଣ ହରାଇଛନ୍ତି। ଏହି ସଂଘର୍ଷକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରୀ ଖୱାଜା ଆସିଫ୍ ଭାରତକୁ ଦାୟୀ କରିଥିଲେ। ଆସିଫ୍ କହିଥିଲେ ଯେ ଆଫଗାନିସ୍ତାନର ତାଲିବାନ ନେତା ଭାରତ ଦ୍ବାରା ପରିଚାଳିତ ହେଉଛନ୍ତି। ଆଉ ଏପରି କାର୍ଯ୍ୟ ପାଇଁ ଆଫଗାନିସ୍ତାନକୁ ବହୁ ମୂଲ୍ୟ ଦେବାକୁ ପଡିବ। ମଙ୍ଗଳବାର ଠାରୁ ଆଫଗାନିସ୍ତାନରେ ଭାରତ ଏହାର ଦୂତାବାସ ଖୋଲିଛି।