ମହାରାଷ୍ଟ୍ରରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା: ସୁଇସାଇଡ୍‌ ନୋଟ୍‌ରେ ପୁଲିସ ଦ୍ବାରା ଦୁଷ୍କର୍ମ, ମାନସିକ ଓ ଶାରୀରିକ ନିର୍ଯାତନା

add-all

ମୁମ୍ବଇ: ମହାରାଷ୍ଟ୍ରର ସତାରା ଜିଲାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ତେବେ ମହିଳା ଡାକ୍ତର ଜଣକ ତାଙ୍କର ବାମହାତ ପାପୁଲିରେ ଲେଖିଥିବା ସୁଇସାଇଡ୍‌ ନୋଟ୍‌ରେ ଆତ୍ମହତ୍ୟା ପାଇଁ ଜଣେ ପୁଲିସ ଅଧିକାରୀଙ୍କୁ ଦାୟୀ କରିଥିବା ଜଣାପଡିଛି। ଗୋପାଳ ବାଦ୍‌ନେ ନାମକ ଏହି ପୁଲିସ ସବ୍‌ଇନ୍ସପେକ୍ଟର ବିଗତ ପାଞ୍ଚମାସ ମଧ୍ୟରେ ତାଙ୍କୁ ଚାରିଥର ଦୁଷ୍କର୍ମ କରିଥିବାବେଳେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମଧ୍ୟ ସୁଇସାଇଡ୍‌ ନୋଟରେ ଉଲ୍ଲେଖ କରାଯାଇଛି। ଏହା ଜଣାପଡିବା ପରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ ଏହି ମହିଳା ଡାକ୍ତର ସତାରା ଜିଲାର ଫାଲଟନ୍‌ ସବ୍‌ଡିଭିଜିନାଲ ହସ୍ପିଟାଲରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଆଜକୁ ପ୍ରାୟ ଛୟ ମାସ ପୂର୍ବେ ଗୋପାଳ ବାଦ୍‌ନେ ଓ ପ୍ରଶାନ୍ତ ବାନ୍‌କର ନାମକ ଦୁଇ ପୁଲିସ ଅଧିକାରୀ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରି ସେ ଫାଲଟନ ଡିଏସ୍‌ପିଙ୍କ ନିକଟରୁ ଏକ ଚିଠି ଲେଖିଥିଲେ। ତଦନ୍ତ କରି ସଂପୃକ୍ତ ଦୁଇ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା। ତେବେ ପୁଲିସ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି।

ଗୁରୁବାର ରାତିରେ ମହିଳା ଡାକ୍ତର ଆତ୍ମହତ୍ୟା କରିବା ଏବଂ ସୁଇସାଇଡ୍‌ ନୋଟ ଜବତ ହେବାପରେ ରାଜ୍ୟ ରାଜନୀତିରେ ସରଗରମ ଅବସ୍ଥା ଦେଖିବାକୁ ମିଳିଛି। ବିରୋଧୀଙ୍କ ପକ୍ଷରୁ ଦେବେନ୍ଦ୍ର ଫଡ୍‌ନବିସ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ରକ୍ଷକ ଯଦି ଭକ୍ଷକ ସାଜେ, ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ବୋଲି ସେମାନେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ଦୋଷୀଙ୍କୁ ଉଚିତ ଦଣ୍ଡ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଫଡ୍‌ନବିସ ପ୍ରତିଶ୍ରୁତି ଦେଇଛନ୍ତି।

ad-week
Leave A Reply

Your email address will not be published.