
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆଗ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ କାର୍ ଘର ବାହାରେ ବସିଥିବା ୭ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଏବଂ ଜଣେ ମହିଳା ରହିଥିବା ଜଣାପଡିଛି ।
ସୂଚନାନୁଯାୟୀ, ନିୟନ୍ତ୍ରଣହୀନ କାର ଏକ ଘର ବାହାରେ ବସିଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା । ଯାହା ଫଳରେ ସାତ ଜଣ ଲୋକ ଚାପି ହୋଇଯାଇଥିଲେ । ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚିକିତ୍ସା ପାଇଁ ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ୫ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଡ୍ରାଇଭର ଜଣକ ପ୍ରଥମେ ଡେଲିଭରି ବୟଙ୍କୁ ଧକ୍କା ଦେଇଥିଲା । ପରେ ଘର ବାହାରେ ବସିଥିବା ଲୋକଙ୍କୁ ଧକ୍କା ଦେଇ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହିତ ଆହତମାନଙ୍କୁ ଚିକିତ୍ସା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।