
ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ବିହାରରେ ଏସଆଇଆରର ସଫଳତା ପରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ SIR ।
ଜ୍ଞାନେଶ କୁମାର କହିଛନ୍ତି, ଭୋଟର ତାଲିକାରେ ଯୋଗ୍ୟ ଭୋଟରଙ୍କୁ ଯୋଡିବା ଏବଂ ଅଯୋଗ୍ୟ କିମ୍ବା ଡୁପ୍ଲିକେଟ ନାମ ହଟାଇବା ହିଁ ଏସଆଇଆରର ଉଦ୍ଦେଶ୍ୟ । ୧୯୫୧ ରୁ ୨୦୦୪ ପର୍ଯ୍ୟନ୍ତ ୮ ଥର ଏପରି ସଂଶୋଧନ ହୋଇଛି । ଅନେକ ସମୟରେ ବିଭିନ୍ନ ରାଜନୈତିକ ଦଳ ଭୋଟର ତାଲିକାରେ ତ୍ରୁଟି ସଂପର୍କରେ ଅଭିଯୋଗ କରିଆସୁଛନ୍ତି ।
ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ କରାଯାଉଥିବା ରାଜ୍ୟଗୁଡ଼ିକର ଭୋଟର ତାଲିକା ଆଜି ରାତି ୧୨ ଟାରେ ଫ୍ରିଜ୍ କରାଯିବ । ପ୍ରତ୍ୟେକ ବୁଥରେ ଜଣେ BLO ଏବଂ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଣେ ERO (Elsctoral registration Officer) ନିୟୋଜିତ ହେବେ । ଆଜି ସମସ୍ତ ଭୋଟରଙ୍କ ପାଇଁ ଗଣନା ଫର୍ମ (EF) ପ୍ରିଣ୍ଟ ହେବ । ପ୍ରତ୍ୟେକ ବିଏଲଓ ସୂଚନା ସଂଗ୍ରହ ପାଇଁ ପ୍ରତ୍ୟେକ ଘରକୁ ଅତି କମରେ ତିନିଥର ପରିଦର୍ଶନ କରିବେ । ନିଜ ନିର୍ବାଚନ ମଣ୍ଡଳୀ ବାହାରେ ଥିବା ଭୋଟରମାନେ ମଧ୍ୟ ଏହି ଫର୍ମଗୁଡ଼ିକୁ ଅନଲାଇନରେ ପୂରଣ କରିପାରିବେ । ଏହି ପ୍ରକ୍ରିୟା ସମୟରେ କୌଣସି ଅତିରିକ୍ତ ଡକ୍ୟୁମେଣ୍ଟ କିମ୍ବା ଫର୍ମ ଆବଶ୍ୟକ ହେବ ନାହିଁ ।
ସୂଚନାଯୋଗ୍ୟ, ଆସନ୍ତା ବର୍ଷ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତାକାଲି ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବ ।