
ଇସ୍ତାନବୁଲ: ତୁର୍କୀ ରାଜଧାନୀ ଇସ୍ତାନବୁଲରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ବୈଠକ ବିଫଳ ରହିଛି। ଆଲୋଚନାରେ ପାକିସ୍ତାନ ତରଫରୁ ଆଫଗାନିସ୍ତାନକୁ ଆତଙ୍କବାଦୀ ସମାପ୍ତ କରିବା ପାଇଁ ଏକ ତଥ୍ୟ ଭିତ୍ତିକ ଯୋଜନା ପ୍ରଦାନ କରାଯାଇଛି। ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁସାରେ ଏହି ଆଲୋଚନା ଦୀର୍ଘ ୯ ଘଣ୍ଟା ଧରି ଚାଲିଥିଲା। ପାକିସ୍ତାନ ଓ ତାଲିବାନ ସରକାର ତରଫରୁ ହୋଇଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପାକିସ୍ତାନ ତରଫରୁ ୭ ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳୀ ଏଥିରେ ଭାଗ ନେଇଥିଲେ। ଏହି ପ୍ରତିନିଧିମଣ୍ଡଳୀ ତରଫରୁ ଆଫଗାନିସ୍ତାନରେ ଥିବା ଆତଙ୍କବାଦୀ କ୍ୟାମ୍ପ ଓ ଆତଙ୍କବାଦୀଙ୍କୁ ସମାପ୍ତ କରିବା ଦାବି ଦୋହରାଯାଇଥିଲା। ପାକିସ୍ତାନ ଏନେଇ ଏକ ବିସ୍ତୃତ ବିବରଣୀ ତାଲିବାନକୁ ଦେଇଥିଲା, ଯାହାକୁ ତାଲିବାନ କର୍ତ୍ତୃପକ୍ଷଙ୍କ ତରଫରୁ ସମୀକ୍ଷା କରାଯାଉଛି।
ସୀମା ପାର ସୁରକ୍ଷା ଓ ଆତଙ୍କବାଦ ଗତିିବିଧି ରୋକିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ। ଆଲୋଚନା ସଫଳ ହୋଇନଥିବାରୁ ଆଗାମୀ ଦିନରେ ଏହା ଉପରେ ଅଧିକ ଚର୍ଚ୍ଚା ହେବା ଅନୁମାନ କରାଯାଉଛି। ଯଦିଓ ବର୍ତ୍ତମାନ ସୁଦ୍ଧା ଉଭୟ ଦେଶ ଅସ୍ଥାୟୀ ଶାନ୍ତିରେ ଏକମତ ହୋଇଛନ୍ତି; କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥାୟୀ ସମାଧାନର ବାଟ ମିଳିପାରିନି। ବୈଠକରେ ଇସଲାମାବାଦ ଉଭୟ ଦେଶ ମିଶି ସୀମା ପାର୍ ଗତିବିଧି ଉପରେ ନଜର ରଖିବା ସହ ମିଳିତ ପେଟ୍ରୋଲିଂ ଆରମ୍ଭ କରିବା ଉପରେ ପ୍ରସ୍ତାବ ବାଢିଥିଲା; କିନ୍ତୁ ତାଲିବାନ ଏହାକୁ ଅସ୍ବୀକାର କରିଥିଲା। ପାକିସ୍ତାନ ଆଫଗାନ୍ ଶରଣାର୍ଥୀଙ୍କୁ ବାହାର କରିବା ନେଇ ଚେତାବନୀ ଦେଇଥିଲା। ଆଫଗାନ୍ ପ୍ରତିନିଧି ଏହାକୁ ଅମାନବୀୟ ବୋଲି ଦର୍ଶାଇବା ସହ ଏହା ଉଭୟ ଦେଶ ପାଇଁ ଆର୍ଥିକ ସଙ୍କଟ ସୃଷ୍ଟି କରିବ ବୋଲି କହିଥିଲେ।