
ଉମରକୋଟ/ରାଇଘର : ନବରଙ୍ଗପୁର ଜ଼ିଲ୍ଲାର ରାଇଘର–ଉମରକୋଟ ସ୍ଥିତ ୪୦ ନଂ ଜାତୀୟ ରାଜପଥରେ ଅନିୟମିତ ଭାବେ ଗାଡି ପାର୍କିଂ ଯୋଗୁଁ ନିରନ୍ତର ଦୁର୍ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ବିଶେଷକରି କୁମଲି ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳଟି ଦୁର୍ଘଟଣା ପ୍ରବଣ କେନ୍ଦ୍ରରେ ପରିଣତ ହୋଇଛି ।
ବିବରଣୀ ଅନୁସାରେ, ଗତକାଲି ବୁଧବାର ରାତି ପ୍ରାୟ ୮. ୪୫ ବେଳେ କୁମଲି ପେଟ୍ରୋଲ ପମ୍ପ ନିକଟରେ ରାଜପଥ ଉପରେ ଅନୁଚିତ ଭାବରେ ରଖାଯାଇଥିବା ଗୋଟିଏ ଟ୍ରକ୍ ସହ ଧକ୍କା ଲାଗି ଉମରକୋଟ ବ୍ଲକ୍ର ଶୁଖିଗାଁ ପଞ୍ଚାୟତ ଅନ୍ତର୍ଗତ ଫୁଲଝୋରୀ ଗ୍ରାମର ବଲି ସାନ୍ତା (୬୨) ଘଟଣାସ୍ଥଳରେ ଦେହାନ୍ତ ଘଟିଛି । ସେହି ଘଟଣାରେ ଅର୍ଜୁନ ସାନ୍ତା (୩୫) ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ସାମ୍ବାଦିକମାନେ ତାଙ୍କୁ ରାଇଘର ମେଡିକାଲକୁ ନେଇ ଚିକିତ୍ସା ସୁବିଧା ଯୋଗାଇଥିଲେ ।
ଅର୍ଜୁନ ସାନ୍ତାଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ ଟ୍ରକ୍ଟି ସେଠାରୁ ତୁରନ୍ତ ଚମ୍ପଟ ମାରିଥିଲା । ଉଭୟେ ରାଇଘର ଭାରଷଣ୍ଡୀ ପ୍ରୟୋଜନ ନେଇ ଆସିଥିବା ବେଳେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଦାନ୍ତ ଘଟଣା ଘଟିଥିଲା ।
ଲକ୍ଷଣୀୟ ଯେ, ଏହି ପେଟ୍ରୋଲ ପମ୍ପ ଅଞ୍ଚଳରେ ବିଗତ କିଛି ଦିନରେ ଏହା ତୃତୀୟ ଦୁର୍ଘଟଣା, ଯାହା ନେଇ ସ୍ଥାନୀୟ ବାଟୋଇ ଓ ନାଗରିକମାନେ ଚିନ୍ତିତ ।
ଏହା ସହିତ, ରାଇଘର–ଉମରକୋଟ ମୁଖ୍ୟ ସଡ଼କ ଦୁଇ ପାର୍ଶ୍ଵରେ କିଛି ମେକାନିକ୍ ଦୋକାନ ରାସ୍ତା ଉପରେ ଗାଡି ରଖି ମରାମତି କାମ କରୁଥିବାରୁ ସଡ଼କ ଜାମ୍ ଓ ଦୁର୍ଘଟଣା ହେବାର ଆଶଙ୍କା ବଢ଼ିଛି ।
ସ୍ଥାନୀୟ ବୁଦ୍ଧିଜୀବୀମାନେ ପୋଲିସ ପ୍ରଶାସନଙ୍କ ନିକଟକୁ ଆବେଦନ କରି ମୁଖ୍ୟ ସଡ଼କରେ ଅନିୟମିତ ଗାଡି ପାର୍କିଂ ବନ୍ଦ କରିବା ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
 
			