
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି। ପଡିଆ ସ୍ଥିତ ଅନୂସୁଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଟ ୪ ଶହ ତିନିଜଣ ତାଲିକାଭୁକ୍ତ ହୋଇ ଶାରୀରିକ ଓ ମାନସିକ ଯାଞ୍ଚ କରାଇଥିବା ଜଣାପଡିଛି। ପଡିଆ ବ୍ଲକର ଆଠଟି ପଞ୍ଚାୟତରୁ ହିତାଧୀକାରି ମାନେ ଆସି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଚଳିତ ବର୍ଷ ଆଦିବାସୀ ଅଧ୍ୟୁଷିତ ମାଟେରୁ, କାଲଦାପଲ୍ଲୀ ଓ ନିଲିଗୁଡା ପଞ୍ଚାୟତର ସର୍ବାଧିକ ହିତାଧୀକାରି ଆସିଥିବା ଦେଖିବାକୁ ମିଳିଥିଲା। ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କ ଚୟନ ଓ ସେମାନଙ୍କ ସୁରକ୍ଷା ହିଁ ପ୍ରକୃତ ଲକ୍ଷ୍ୟ ବୋଲି କୁହାଯାଇଛି ।
ଏହି କାର୍ଯ୍ୟକ୍ରମକୁ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନି କୁମାର ମହାପାତ୍ର ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଡିଆ ବ୍ଲକ ସାଂସଦଙ୍କ ପ୍ରତିନିଧି ପି ଭେଙ୍କେଟେଶ୍ୱର ରାଓ, ବିଧାୟକଙ୍କ ପ୍ରତିନିଧି ମନ ଦୀପଙ୍କର ରାୟ ମାଲକାନଗିରି ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ପଡିଆ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦେଶା କାରାମ ଙ୍କ ନେତ୍ରୁତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅସ୍ଥିଶଲ୍ୟ ବିଶେଷଜ୍ଞ, ମାନସିକ ରୋଗ ବିଶେଷଜ୍ଞ, ଔଷଧ ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦୁରା କାବାସୀ, କନିଷ୍ଠ ସହାୟକ ରାଜେଶ ବେହେରା, ମିଥୁନ ହାଲଦାର ସମେତ ବିଭିନ୍ନ ପଞ୍ଚାୟତର ପିଇଓ ମାନେ ଉପସ୍ଥିତ ଥିଲେ।